ଓ୍ବେଷ୍ଟଇଣ୍ଡିଜ୍ ଟେଷ୍ଟ ସିରିଜ୍; ଡୋମିନିକା ଖେଳାଯିବ ପ୍ରଥମ ମ୍ୟାଚ୍, ଭାରତର ଜୋରଦାର ପ୍ରସ୍ତୁତି
ଓ୍ବେଷ୍ଟଇଣ୍ଡିଡ୍-ଭାରତ ଟେଷ୍ଟ ସିରିଜ୍ । ବୁଧବାର ଡୋମିନିକା ଖେଳାଯିବ ପ୍ରଥମ ମ୍ୟାଚ୍ । ଏଥିପାଇଁ ୱିଣ୍ଡସର ପାର୍କ ଗ୍ରାଉଣ୍ଡ ପ୍ରସ୍ତୁତ । ପ୍ରଥମ ମୁକାବିଲା ପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଭାରତୀୟ ସମୟ ରାତି ପ୍ରାୟ ସାଢେ ୭ଟା ମ୍ୟାଚ୍ ଆରମ୍ଭ ହେବ । କାରବିଆନ୍ ଦଳକୁ ହରାଇବା ପାଇଁ ଟିମ୍ ଇଣ୍ଡିଆ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କିରିଛି । ଏହି ସିରିଜ ସହ ଉଭୟ ଭାରତ ଓ ୱେଷ୍ଟ ଇଣ୍ଡିଜ୍ ୨୦୨୩-୨୫ ଟେଷ୍ଟ ଚାମ୍ପିଅନସିପ୍ ସିଜନ ଆରମ୍ଭ କରିବେ । ଭାରତ ଗତ ୨ଟି ଯାକ ସଂସ୍କରଣରେ ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚିଥିଲେ ହେଁ ଟାଇଟଲ ଜିତିବାରେ ବିଫଳ ହୋଇଛି । ନୂଆ ସିଜନ ଆରମ୍ଭରୁ ଦଳ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଛି । ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରାଙ୍କୁ ବାଦ ଦିଆଯାଇ ନବାଗତ ଭାବେ ଯଶସ୍ୱୀ ଜୈସ୍ୱାଲ୍ ଓ ଋତୁରାଜ ଗାଏକୱାଡଙ୍କୁ ଟେଷ୍ଟ ଟିମ୍ରେ ସାମିଲ କରାଯାଇଛି । ଗତ ସିଜନରେ ଶୁଭମନ ଗିଲଙ୍କ ଅସଲ ଦକ୍ଷତା ଲୋକ ଲୋଚନକୁ ଆସିଥିଲା । ଏଣିକି ତାଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯିବ । ସେପଟେ ଜୈସ୍ୱାଲ ଓ ଗାଏକୱାଡ୍ ସୁଯୋଗର ସଦୁପଯୋଗ କରିବାକୁ ପ୍ରୟାସ କରିବେ । ବର୍ତ୍ତମାନ ପେସ୍ ବୋଲିଂ ବିଭାଗ ଉପରେ ନଜର ରହିବ । ୱେଷ୍ଟଇଣ୍ଡିଜ ଗସ୍ତରେ ଯାଇଥିବା ପେସ୍ ବୋଲିଂ ବିଭାଗ ମାତ୍ର ୮୬ଟି ଟେଷ୍ଟ ୱିକେଟ୍ ଅଭିଜ୍ଞତା ରଖିଛନ୍ତି । ଏମାନଙ୍କ ମଧ୍ୟରୁ ମହମ୍ମଦ ସିରାଜ ସର୍ବାଧିକ ୫୨ଟି ଟେଷ୍ଟ ୱିକେଟ୍ ନେଇଛନ୍ତି । ସିନିୟରଙ୍କ ମଧ୍ୟରୁ ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇଛି । ୩୫ ବର୍ଷୀୟ ଉମେଶ ଯାଦବ ଫିଟ୍ ନାହାନ୍ତି । ଯଶପ୍ରୀତ ବୁମରା ପ୍ରତ୍ୟାବର୍ତ୍ତନ କରିବାକୁ ସମୟ ଲାଗିବ । ଈଶାନ୍ତ ଶର୍ମାଙ୍କ ଫେରିବା ସମ୍ଭାବନା ନାହିଁ । ତେଣୁ ଏମାନଙ୍କ ଅନୁପସ୍ଥିତିରେ ସିରାଜ ପେସ୍ ବୋଲିଂ ବିଭାଗ ସମ୍ଭାଳିବେ । ଭାରତ ନିକଟରେ ଅଭିଜ୍ଞ ସ୍ପିନର ରହିଥିବାରୁ ୱିଣ୍ଡସର ପାର୍କ ଗ୍ରାଉଣ୍ଡ୍ରେ ଘରୋଇ ଦଳ ପେସ୍ ବୋଲରଙ୍କୁ ସହାୟତା କରିବା ଭଳି ପିଚ୍ ପ୍ରସ୍ତୁତ କରିବ । ରବି ଚନ୍ଦ୍ରନ ଅଶ୍ୱିନ ଓ ରବିନ୍ଦ୍ର ଜାଡେଜାଙ୍କ ବ୍ୟତୀତ ଅକ୍ଷର ପଟେଲ ବ୍ୟାଟିଂ ସହିତ ବୋଲିଂ କରିବେ । ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳାଯିବ । ଓ୍ବେଷ୍ଟଇଣ୍ଡିଜ୍ ବିରୋଧରେ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ।
