ସାନଖେମୁଣ୍ଡି ଅଞ୍ଚଳରେ ବାଘ ଆତଙ୍କ, ଡାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ କରାଇଲା ବନ ବିଭାଗ
ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳରେ ବାଘର ଚିତ୍ର ସାମ୍ନାକୁ ଆସିବା ପରେ ଦିଗପହଣ୍ଡି ବନ ବିଭାଗ ପକ୍ଷରୁ ସଚେତନ କରାଯାଉଛି । ଏହାସହ ସତର୍କ ରହିବା ନିମନ୍ତେ ଡାକବାଜି ଯନ୍ତ୍ର ସାହାଯ୍ୟରେ ବନ ବିଭାଗ ପକ୍ଷରୁ କୁହାଯାଉଛି । ସୂଚନାଯୋଗ୍ୟ ଯେ, ଗତ ରବିବାର ସକାଳ ୯ଟାରେ ସାନଖେମୁଣ୍ଡି ଗମ୍ଭାରୀଗୁଡ଼ା କରାଖଣ୍ଡି ମୁଖ୍ୟରାସ୍ତା ଧାନ ମିଲ୍ ସମ୍ମୁଖରେ ଏକ ବାଘ ବୁଲୁଥିବା ସିସିଟିଭିରେ କଏଦ ହୋଇଥିଲା । ଏହାକୁ ନେଇ ସାନଖେମୁଣ୍ଡି ଅଞ୍ଚଳବାସୀ ଭୟଭୀତ ହୋଇଯାଇଥିଲେ । କେହି କେହି ହେଟା ବାଘ, ଅନ୍ୟ କେହି କଲରାପତ୍ରିଆ ବୋଲି କହିଥିଲେ । ଏସବୁ ଘଟଣା ବନ ବିଭାଗ ଜାଣିବା ପରେ ବ୍ରହ୍ମପୁର ଦିଗପହଣ୍ଡି ପାଟପୁର ବନ ବିଭାଗ ଟିମ୍ ଘଟଣାସ୍ଥଳକୁ ଯାଇ ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ କରିଥିଲା । ଏନେଇ ଡିଏଫଓଙ୍କୁ ଜଣାଇଥିଲେ ଟିମ୍ । ସିସିଟିଭି ଫୁଟେଜରେ କଏଦ ହୋଇଥିବା ବାଘ କଲରାପତ୍ରିଆ ବୋଲି ଡିଏଫଓ ସୋନି ଖୋକର କହିଥିଲେ । ତାକୁ ନେଇ କୌଣସି ଭୟଭୀତ ହେବାର ଆବଶ୍ୟକ ନାହିଁ । ବନ ବିଭାଗ ପକ୍ଷରୁ ସଚେତନତା କରାଯାଇଛି । ଘଟଣା ଉପରେ ବନ ବିଭାଗ ନଜର ରଖିଥିବା ସେ କହିଥିଲେ । ତେବେ ଏହି ଘଟଣା ପରେ ବାଘ କେଉଁଆଡ଼େ ଗଲା ଓ କେଉଁଠି ରହିଛି ତାହା ବନ ବିଭାଗ ପ୍ରକାଶ କରିନାହିଁ । ସ୍ଥାନୀୟ ଲୋକ ଭୟଭୀତ ଅବସ୍ଥାରେ ରହିଛନ୍ତି । ବାଘ ଲୁଚିଥିବା ସ୍ଥାନକୁ ଯାଇ ଦେଖୁଥିବା ସୂଚନା ମିଳିଛି । ଗ୍ରାମବାସୀ କହିଛନ୍ତି ଯେ, ଏହି ରାସ୍ତା ଦେଇ ହଜାର ହଜାର ଲୋକ ଯାତାୟାତ କରୁଛନ୍ତି । କୌଣସି ମହୂର୍ତ୍ତରେ ଆକ୍ରମଣର ଶିକାର ହେବା ଆଶଙ୍କା ରହିଛି । ଏଣୁ ଖୁବ୍ ଶୀଘ୍ର ବାଘକୁ ଟ୍ରାଙ୍କୁଲାଇଜ କରି ଦୂର ଜଙ୍ଗଲରେ ଛାଡ଼ିବାକୁ ଦାବି କରିଛନ୍ତି ।
