କେବିସି ହଟ ସିଟରେ ଓଡ଼ିଆ ଝିଅ
କେବିସି ହଟ୍ ସିଟରେ ବସିଲେ ରାଇରଙ୍ଗପୁରର ଝିଅ କରିଶ୍ମା ଶର୍ମା । ଜିତିଲେ ୧୨ ଲକ୍ଷ ୫୦ ହଜାର ଟଙ୍କାର ଅର୍ଥ ରାଶି । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମ୍ୟୁନିସିପାଲିଟି ୱାର୍ଡ ନଂ ୬ ର ଏକ ବ୍ୟବସାୟିକ ପରିବାରରେ କରିଶ୍ମାଙ୍କ ଜନ୍ମ । ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ‘କୌନ ବନେଗା କରୋଡ଼ପତି’ ରେ ଭାଗ ନେଇ ଅଞ୍ଚଳ ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ । ଯୌଥ ପରିବାରରେ ଜନ୍ମିତ କରିଶ୍ମା ଶର୍ମା ନିଜ ପରିଶ୍ରମ ବଳରେ ସମାଜ ପାଇଁ ପାଲଟିଛନ୍ତି ପ୍ରେରଣା । ବାପା ବିଜୟ କୁମାର ଶର୍ମା ରାଇରଙ୍ଗପୁର ଅଞ୍ଚଳରେ ବ୍ୟବସାୟ କରି ପରିବାର ଚଳାନ୍ତି । ଦୀର୍ଘ ଦିନରୁ ନିଜ ଝିଅକୁ କେବିସି ହଟ୍ ସିଟରେ ବସାଇବାର ସ୍ବପ୍ନ ଦେଖିଥିଲେ କରିଶ୍ମାଙ୍କ ବାପା । ବାପାଙ୍କର ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ୩ ବର୍ଷ ହେଲା ପରିଶ୍ରମ କରିଆସୁଥିଲେ କରିଶ୍ମା । ଆଉ ଚଳିତବର୍ଷ କୌନ ବନେଗା କରୋଡ଼ପତିର ସିଜିନ-୨୫ରେ ପଞ୍ଜିକରଣ କରି ହଟ ସିଟରେ ବସିବାର ସୌଭାଗ୍ୟ ପାଇଥିଲେ କରିଶ୍ମା ।କେବିସି ର ‘ସୁପର ସାନ୍ଦୁକ’ ରାଉଣ୍ଡରେ ୯୦ ସେକେଣ୍ଡରେ ୧୦ ଟି ପ୍ରଶ୍ନର ସଠିକ ଉତ୍ତର ଦେଇଥିବାରୁ କରିଶ୍ମା ଶର୍ମା ୧୨ ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜିତି ପାରିଛନ୍ତି । କେବଳ ସେତିକି ନୁହଁ କେବିସି ର ‘ସୁପର ସାନ୍ଦୁକ’ ରାଉଣ୍ଡରେ ୯୦ ସେକେଣ୍ଡରେ ୧୦ ଟି ପ୍ରଶ୍ନର ସଠିକ ଉତ୍ତର ଦେଇଥିବାରୁ କରିଶ୍ମାଙ୍କ ସପରିବାର ମୁମ୍ବାଇର ଜାଲସା ସ୍ଥିତ ଅମିତାଭ ବଚ୍ଚନଙ୍କ ବାସଭାବନକୁ ନିମନ୍ତ୍ରଣ କରାଯାଇଛି । ତାଙ୍କର ଏହି ସଫଳତାର ଶ୍ରେୟ ଗୁରୁଜନ ଓ ପରିବାର ଲୋକଙ୍କୁ ଦେଇଛନ୍ତି କରିଶ୍ମା । ଭବିଷ୍ୟତରେ କରିଶ୍ମା ଆଇଏଏସ ଅଫିସର ହେବାର ସ୍ବପ୍ନ ଦେଖିଛନ୍ତି ।

