ବିଜୟ ମହାନ୍ତିଙ୍କର ଆଜି ହେଉଛି ତୃତୀୟ ଶ୍ରାଦ୍ଧ ବାର୍ଷିକୀ
ବିଜୟ ମହାନ୍ତି, କେବଳ ନାମ ହିଁ ଯଥେଷ୍ଟ । ଯାହାଙ୍କୁ କେବେ ଭୁଲି ହେବନି । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସେହି ମହାନ ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟକାର ବିଜୟ ମହାନ୍ତିଙ୍କର ଆଜି ହେଉଛି ତୃତୀୟ ଶ୍ରାଦ୍ଧ ବାର୍ଷିକୀ । ନାୟକ ହେଉ କି ଖଳନାୟକ, ହାସ୍ୟ ଅଭିନୟ ହେଉ ଅବା ଚରିତ୍ର ଅଭିନୟ ସବୁ ଭୂମିକାରେ ଅଭିନୟ କରି ସମସ୍ତଙ୍କ ମନ ଜିଣିଥିଲେ ସେ । ଏଥିଲାଗି ସେ ଏକାଧିକ ଥର ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି । 1977ରେ ଚିଲିକା ତୀରେ ଫିଲ୍ମରେ ଅଭିନୟ ସହ ଆରମ୍ଭ ହୋଇଥିଲା ତାଙ୍କର ଓଲିଉଡ୍ ଯାତ୍ରା । ତାଙ୍କ ଅଭିନୀତ ପ୍ରଥମ ଚଳଚିତ୍ର ସେହିବର୍ଷ ଜାତୀୟ ପୁରସ୍କାର ହାସଲ କରିଥିଲା । ଶତାଧିକ ନାଟକ, ଦେଢଶହରୁ ଅଧିକ ଚଳଚ୍ଚିତ୍ର ଓ ଧାରାବାହିକରେ ଅଭିନୟକରି ଅଜସ୍ର ପୁରସ୍କାର, ସମ୍ମାନ ଓ ଅସୁମାରୀ ପ୍ରଶଂସା ସାଉଁଟିଥିଲେ ଓଡ଼ିଆ ସିନେମାର ବେତାଜ ବାଦଶାହ ବିଜୟ ମହାନ୍ତି । ଚଳଚ୍ଚିତ୍ର ଜଗତକୁ ଜୀବନବ୍ୟାପୀ ଅବଦାନ ପାଇଁ 2014ରେ ତାଙ୍କୁ ଓଡ଼ିଆ ସିନେମା ଜଗତର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କରାରେ ସମ୍ମାନୀତ କରାଯାଇଥିଲା। ଏହାବାଦ ସେ 6 ଥର ଓଡ଼ିଶା ରାଜ୍ୟ ଚଳଚିତ୍ର ପୁରସ୍କାର ମଧ୍ୟ ହାସଲ କରିଥିଲେ। ନିଜ ଜୀବନ୍ତ ଅଭିନୟର ଯାଦୁରେ 6 ଦଶନ୍ଧୀ ଧରି ଓଡ଼ିଆ ଚଳଚିତ୍ର ପ୍ରେମୀଙ୍କୁ ବାନ୍ଧି ରଖିଥିଲେ ବିଜୟ ମହାନ୍ତି। ଏହି କିମ୍ବଦନ୍ତି ଅଭିନେତାଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀରେ ଅର୍ଗସ ନ୍ୟୁଜର ଗଭୀର ଶ୍ରଦ୍ଧାଞ୍ଜଳି।
