ପ୍ରଶାନ୍ତ ଶତପଥି ଙ୍କୁ ବିଦାୟ ଦେଲେ ମୁଖ୍ୟମନ୍ତ୍ରୀ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଶାନ୍ତଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ଅନୂକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ମୃତ ପ୍ରଶାନ୍ତଙ୍କ ପତ୍ନୀଙ୍କୁ ସରକାରୀ ଚାକିରି ଓ ପୁଅର ପାଠପଢ଼ା ପାଇଁ ସରକାର ବ୍ୟବସ୍ଥା କରିବେ ବୋଲି କହିବା ସହ ଆତଙ୍କୀଙ୍କ ଏଭଳି ବର୍ବରକାଣ୍ଡକୁ ତୀବ୍ର ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଟି କାଟିବାକୁ ଯାଇଥିଲେ ଶବ ହୋଇ ଫେରିଲେ । ଆତଙ୍କୀଙ୍କ ଗୁଳିମାଡ଼ରେ ପ୍ରାଣ ହରାଇଥିବା ପ୍ରଶାନ୍ତ ଶତପଥୀଙ୍କୁ ଆଜି ଝୁରୁଛନ୍ତି ଆତ୍ମୀୟ ସ୍ବଜନ। ଖୋଜି ହେଉଛନ୍ତି ପତ୍ନୀ ଓ ପରିବାର । ଗତକାଲି ବିଳମ୍ବିତ ରାତିରେ ଶ୍ରୀନଗରରୁ ଭୁବନେଶ୍ବର ଆସି ପହଞ୍ଚିଥିଲା ପ୍ରଶାନ୍ତଙ୍କ ମରଶରୀର । ଆଜି ସକାଳେ ବାଲେଶ୍ବର ଇସାଣୀ ଗାଁରେ ଅନ୍ତିମ ସତ୍କାର କରାଯାଇଛି ।
ଯିଏ ସାତ ଜନ୍ମର ସାଥୀ ହେବାର ସ୍ବପ୍ନ ଦେଖାଇ ହାତ ଧରିଥିଲେ । ଯାହାଙ୍କ ପାଇଁ ଶଙ୍ଖା ସିନ୍ଦୁର ନାଇ ଜୀବନ ସାଥୀ ବନିଥିଲେ ।ସିଏ ଆଜି ଯେତେବେଳେ ଇହଧାମରୁ ବିଦାୟ ନେଇ ଯାଉଛନ୍ତି । କେଉଁ ପତ୍ନୀଙ୍କ ବା ଧୈର୍ଯ୍ୟ ରହିବ । ଧର୍ମ ନାଁରେ ଜହ୍ଲାଦ ସାଜିଥିବା ଆତଙ୍କୀଙ୍କ ଗୁଳିରେ ପ୍ରାଣ ହରାଇଥିବା ପ୍ରଶାନ୍ତ ଶତପଥୀଙ୍କ ପତ୍ନୀ ପ୍ରିୟଦର୍ଶିନୀଙ୍କ ମଥାରୁ ଆଜି ଲିଭିଯାଇଛି ସିନ୍ଦୂର । ସମସ୍ତେ ଲୁହ ଆଉ କୋହରେ ଡୁବିଛନ୍ତି ।ପ୍ରଶାନ୍ତଙ୍କ ମରଶରୀର ପୈତୃକ ଗାଁ ଇସାଣୀରେ ପହଞ୍ଚିବା ପରେ ଦେଖିବାକୁ ମିଳିଥିଲା ଶୋକାକୂଳ ପରିବେଶ । ପାର୍ଥିବ ଶରୀରକୁ ଦେଖି ପ୍ରତିଟି ମଣିଷଙ୍କ ଆଖିରୁ ଲୁହ ଝରୁଥିଲା । ବୁଧବାର ରାତି ପ୍ରାୟ ସାଢ଼େ ୧୨ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲା ପ୍ରଶାନ୍ତଙ୍କ ପାର୍ଥିବ ଶରୀର । ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପୋଲିସ ଡିଜି ୱାଇ.ବି.ଖୁରାନିଆଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ଅନ୍ତିମ ଦର୍ଶନ କରିଥିଲେ ।

