ଅନଲାଇନ୍ ଗେମ୍ ଖେଳୁଥିଲେ ହୋଇଯାଆନ୍ତୁ ସାବଧାନ, ନଚେତ ହୋଇଯିବେ ସର୍ବସ୍ୱାନ୍ତ
ଅନଲାଇନ୍ ଗେମ୍ ଖେଳି ସର୍ବସ୍ୱାନ୍ତ ହେଲେ ଯୁବକ । ଚାଲିଗଲା ୯୧ ଲକ୍ଷ । ଜୀବନ ସାରାର ଜମାପୁଞ୍ଜି ଲଗାଇଦେଲେ ଗେମରେ ଯାହାପରେ ହରାଇ ବସିଛନ୍ତି ମାନସିକ ଭାରସାମ୍ୟ । କ’ଣ ଆପଣ ବି ଅଧିକ ଟଙ୍କା ପାଇବା ଆଶାରେ ଅନଲାଇନ୍ ଗେମ୍ ଖେଳୁଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ । ନଚେତ ଆପଣ ବି ଏମିତି ସାଇବର ଠକେଇର ଶିକାର ହୋଇପାରନ୍ତି । ଯାଜପୁର ସଦର ବ୍ଲକ୍ ବିଦ୍ୟାଧରପୁର ଗ୍ରାମର ଜଣେ ଯୁବକ ଅନଲାଇନ୍ ଗେମ୍ ଖେଳି ଫ୍ରଡର ଶୀକାର ହୋଇଛନ୍ତି ।
ଅନଲାଇନରେ ଗେମ୍ ଖେଳୁଥିବାବେଳେ ଟେଲିଗ୍ରାମରେ ଆସିଲା ଲୋଭନୀୟ ଲିଙ୍କ । ଆଉ କ୍ଲିକ୍ କରିବାମାତ୍ରେ ଯୁବକ ଫଶିଯାଇଥିଲେ ଚକ୍ରବ୍ୟୁହରେ । ସେଥିରୁ ବାହାରିବା ତ ଯେମିତି ଅସମ୍ଭବ ଥିଲା । ପାଞ୍ଚ ଶହରୁ ହଜାରେ, ହଜାରେରୁ ଲକ୍ଷେ, ପୁଣି ଲକ୍ଷ ଲକ୍ଷ କରି ୯୧ ଲକ୍ଷ । ଏକ ଘରୋଇ ସଂସ୍ଥାରେ ଅନଲାଇନ୍ ଗେମ୍ ଖେଳି ପ୍ରାୟ ୯୧ଲକ୍ଷ ଟଙ୍କା ଲଗାଇଥିଲେ । ଏବେ ସେହି ଗେମ୍ ପକ୍ଷରୁ ତାଙ୍କ ଏକାଉଣ୍ଟକୁ ବ୍ଲକ୍ କରି ଦିଆଯାଇଛି । ଯାହାପରେ ସେ ଜାଣିବାକୁ ପାଇଥିଲେ ଯେ ସେ ଠକାମୀର ଶୀକାର ହୋଇଛନ୍ତି ।
ତେବେ ଏହି ଯୁବକଙ୍କ ନାମ ଧୀରେନ୍ଦ୍ର କୁମାର ନାୟକ ବୋଲି ଜଣାପଡିଛି । ଧୀରେନ୍ଦ୍ର ପ୍ରଥମେ ୫୦୦ଟଙ୍କାରୁ ଖେଳ ଆରମ୍ଭ କରିଥିଲେ । ଏଥିରୁ ପ୍ରଥମେ କିଛି ଲାଭ ମଧ୍ୟ ପାଇଥିଲେ । ସେଇଠୁ ଲୋଭ ବି ବଢିଲା । ଧିରେ ଧିରେ ଅଧିକରୁ ଅଧିକ ଅର୍ଥ ବିନିଯୋଗ କରି ଚାଲିଲେ । ଏପରିକି ନିଜ ପୈତୃକ ଜମିରୁ ୯ଗୁଣ୍ଠ ଜମି, ୪୦୦ଗ୍ରାମର ସୁନା, ବ୍ୟକ୍ତିଗତ ଜମାରୁ ୧୦ଲକ୍ଷ ଟଙ୍କା ଓ ହାତ ଉଧାରୀ ୧୦ଲକ୍ଷ ଟଙ୍କା ମିଶାଇ ମୋଟ ୯୧ଲକ୍ଷ ଟଙ୍କା ଲଗାଇଦେଇଥିଲେ ଧୀରେନ୍ଦ୍ର । ହେଲେ ଶେଷରେ ସବୁକିଛି ଚାଲିଗଲା ।
ଯାହାପରେ ଏବେ ସେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି । ପରିବାରରେ ମଧ୍ୟ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି । ଧୀରେନ୍ଦ୍ର ଏନେଇ କ୍ରାଇମ୍ ବ୍ରାଞ୍ଚ ଡ଼ିଜି, ସାଇବର୍ କ୍ରାଇମ ଥାନା ଓ ଟାଉନ୍ ଥାନା ଆଦିରେ ଅଭିଯୋଗ କରିଛନ୍ତି । ଟଙ୍କା ଫେରସ୍ତ ପାଇଁ ନିବେଦନ କରିବା ସହ ସମୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତେବେ ବାରମ୍ବାର ଅନଲାଇନ୍ ଗେମ୍ ଯୋଗୁଁ ଏଭଳି ଠକେଇ ଖବର ସାମ୍ନାକୁ ଆସୁଛି । ହେଲେ ତଥାପି ସଜାଗ୍ ହେଉ ନାହାଁନ୍ତି ଆଜିକାଲିର ଲୋକେ ।

