ନର୍ସିଂହୋମରେ ଚିକିତ୍ସା ଅବହେଳାରୁ ମାଆ ଓ ନବଜାତ ଶିଶୁର ମୃତ୍ୟୁ !
ଦୁନିଆ ନ ଦେଖିବା ଆଗରୁ ଆଖି ବୁଜିଦେଲା କଅଁଳ ଶିଶୁ । ପର କରି ଚାଲିଗଲା ବର୍ଷକ ତଳେ ହାତ ଧରିଥିବା ପତ୍ନୀ । ହତଭାଗା ସ୍ୱାମୀ କ’ଣ ଆଉ କୋହ ସମ୍ଭାଳି ପାରୁଛି । କ୍ଲିନିକ୍ ବାହାରେ ବୁକୁଫଟା ଚିତ୍କାର କରୁଛି, ସ୍ତ୍ରୀ ଓ ଛୁଆକୁ ଫେରାଇ ଆଣିବାକୁ ଗୁହାରି କରୁଛି । ବାହାଘର ଆଲବମ୍କୁ ଛାତିରେ ଜାବୁଡି ଧରି ଲୁହ ଗୁଡାଉଛି । ମୋ ସ୍ତ୍ରୀ ଆଉ ଛୁଆକୁ ଫେରାଇ ଆଣିଦିଅ କହୁଛି ସ୍ୱାମୀ । ହେଲେ ସେମାନେ କ’ଣ ଆଉ ଫେରିବେ । ଏହି ଦୃଶ୍ୟ ଯିଏ ଦେଖିବ ନିଜ କୋହ ସମ୍ଭାଳି ପାରିବନି ।
ପତ୍ନୀର ଗର୍ଭଯନ୍ତ୍ରଣା ହେବାରୁ ପରିବାର ଧାଇଁ ଆସିଥିଲେ ଗଞ୍ଜାମ ଡେଙ୍ଗାଓସ୍ତାରେ ଥିବା ଘରୋଇ କ୍ଲିନିକ୍କୁ । ହେଲେ ଏଇଠି ହିଁ ଉଜୁଡି ଯାଇଛି ସଂସାର । ଅଭିଯୋଗ ହୋଇଛି ଡାକ୍ତରଙ୍କ ଅବହେଳା ଯୋଗୁ ମା’ ଓ ନବଜାତକର ଜୀବନ ଚାଲିଯାଇଛି ।
ନର୍ସିଂହୋମ କର୍ତ୍ତୃପକ୍ଷ ନର୍ମାଲ ଡେଲିଭରି ହେବ ବୋଲି କହି ଆଡମିଶନ କରାଇଥିଲେ । ପରେ ବିନା ଡାକ୍ତରଙ୍କ ଉପସ୍ଥିତିରେ ଅସ୍ତ୍ରୋପଚାର ବି କରାଇଥିଲେ । ନର୍ସିଂହୋମର ଅବହେଳାରୁ ପ୍ରଥମେ ନବଜାତ ଓ ପରେ ମା’ର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ସେପଟେ ଏ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛିନ୍ତି ସାହାରା ନର୍ସିଂହୋମ ମାଲିକ ।
ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିଛି । ଉକ୍ତ ନର୍ସିଂହୋମକୁ ଯାଇ ଛାନଭିନ୍ କରିବା ସହ ତଦନ୍ତ ଜାରି ରଖିଛି ।

