ଘରକୁ ଫେରିଲେ ବିଏସଏଫ ଯବାନ ପୂର୍ଣ୍ଣମ କୁମାର ସ, ପରିବାରରେ ଖୁସିର ଲହରୀ
ସମସ୍ତେ ଭାବବିହ୍ୱଳ । ବହୁ ପ୍ରତିକ୍ଷାର ଅନ୍ତ ଘଟିଲା । ଶେଷରେ ଘରକୁ ଫେରିଲେ ଚର୍ଚ୍ଚାରେ ଥିବା ବିଏସଏଫ ଯବାନ ପୂର୍ଣ୍ଣମ କୁମାର ସ । ଯାହାକୁ ନେଇ ପରିବାରରେ ଖୁସିର ଲହରୀ । ପାକିସ୍ତାନ ରେଞ୍ଜରଙ୍କ କବଜାରେ ୨୧ ଦିନ ରହିବା ପରେ କନେଷ୍ଟବଳ ପୂର୍ଣ୍ଣମ କୁମାର ସ ମୁକ୍ତ ହୋଇଥିଲେ । ସ୍ଵଦେଶ ଫେରିବା ପରେ ସେ ଡ୍ୟୁଟିରେ ଯୋଗ ଦେଇଥିଲେ । ଏବେ ଛୁଟିରେ ପଶ୍ଚିମବଙ୍ଗ ହୁଗୁଳିରେ ଥିବା ଘରକୁ ଆସିଛନ୍ତି ।
ପହଲଗାମ ଆତଙ୍କୀ ହମଲା ପରଦିନ ପଞ୍ଜାବର ଫିରୋଜପୁରରେ ଡ୍ୟୁଟିରେ ଥିଲେ ବିଏସଏଫ ଯବାନ ପୂର୍ଣ୍ଣମ କୁମାର ସ । ଭୁଲବଶତଃ ପାକିସ୍ତାନ ସୀମାରେ ପଶିଯାଇଥିଲେ । ଏହାପରେ ତାଙ୍କୁ ପାକିସ୍ତାନ ରେଞ୍ଜର ନିଜ କବଜାରେ ରଖିଥିଲା । ଯବାନ ପୂର୍ଣ୍ଣମ କୁମାର ସ କହିଛନ୍ତି, ବାପାମାଆଙ୍କୁ ନେଇ ଚିନ୍ତିତ ଥିଲେ । ଏବେ ଘରକୁ ଆସି ସମସ୍ତଙ୍କୁ ଭେଟିଥିବାରୁ ବେଶ ଖୁସି । ଅପରେସନ୍ ସିନ୍ଦୂର ବିଷୟରେ ପଚାରିବାରୁ ସେ କିଛି ଉତ୍ତର ଦେଇନଥିଲେ । ଏହାସହ ଖୁବ୍ ଜଲଦି ସୀମାକୁ ଫେରିବେ ବୋଲି ସେ କହିଛନ୍ତି ।
ସୂଚନା ଥାଉକି, ପହଲଗାମ୍ ଆକ୍ରମଣ ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧର ଆଶଙ୍କା ଯେତେବେଳେ ବଢ଼ିବାରେ ଲାଗିଥିଲା, ସେଭଳି ପରିସ୍ଥିତିରେ ବି ଜଣେ ଗର୍ଭବତୀ ସ୍ତ୍ରୀ ନିଜ ସ୍ୱାମୀ ପାଇଁ ସୀମାକୁ ଯିବାକୁ ବାହାରିଥିଲେ । ଯାହା ବେଶ୍ ଚର୍ଚ୍ଚାର ବିଷୟ ପାଲଟିଲା । ତେବେ ସେହି ଗର୍ଭବତୀ ମହିଳା ଜଣକ ଥିଲେ ବିଏସଏଫ ଯବାନ ପୂର୍ଣ୍ଣମ କୁମାରଙ୍କ ପତ୍ନୀ ରଜନୀ । ଯିଏ ନିଜ ସ୍ୱାମୀଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥିଲେ ।
ପଞ୍ଜାବର ଫିରୋଜପୁର ଜିଲ୍ଲରେ ଅନ୍ତର୍ଜାତୀୟ ସୀମାରେ ଏହି ଘଟଣା ଘଟିଥିଲା । ସୀମା ଅତିକ୍ରମ କରିବା ଅଭିଯୋଗରେ ପାକିସ୍ତାନ ରେଞ୍ଜର୍ସଙ୍କ ଦ୍ୱାରା ବିଏସଏଫ ଯବାନ ପୂର୍ଣ୍ଣମ କୁମାରଙ୍କୁ ପାକିସ୍ତାନ ସେନା ଅଟକ ରଖିଥିଲା । ଯାହାକୁ ନେଇ ପୂର୍ଣ୍ଣମଙ୍କ ପତ୍ନୀ ରଜନୀ ତାଙ୍କ ସ୍ୱାମୀଙ୍କୁ ଉଦ୍ଧାର କରିବା ପାଇଁ LOC ଯାତ୍ରାରେ ବାହାରିଥିଲେ । ସ୍ୱାମୀ ଯିବାର ପରେ ତାଙ୍କର କୌଣସି ଖୋଜ ଖବର ନ ମିଳିବାରୁ ଖୋଦ୍ ପତ୍ନୀ ରଜନୀ ସ୍ୱାମୀ ପୂର୍ଣ୍ଣମଙ୍କୁ ମୁକୁଳେଇବା ପାଇଁ ଯାତ୍ରା ଆରମ୍ଭ କରିଥିଲେ ।
ଶେଷରେ ତାଙ୍କୁ ୨୧ ଦିନ ପରେ ଛାଡିଥିଲା ପାକିସ୍ତାନ । ୨୩ ଏପ୍ରିଲ ୨୦୨୫ ଠାରୁ ପାକିସ୍ତାନ ରେଞ୍ଜର୍ସଙ୍କ ହେପାଜତରେ ଥିବା ବିଏସଏଫ ଯବାନ ପୂର୍ଣ୍ଣମ କୁମାରଙ୍କୁ ଅମୃତସରର ଜଏଣ୍ଟ ଚେକ୍ ପୋଷ୍ଟ ଅଟାରୀ ମାଧ୍ୟମରେ ଭାରତକୁ ହସ୍ତାନ୍ତର କରାଯାଇଥିଲା । ଏହି ସ୍ଥାନାନ୍ତର ଶାନ୍ତିପୂର୍ଣ୍ଣ ଭାବରେ ଏବଂ ପ୍ରତିଷ୍ଠିତ ପ୍ରୋଟୋକଲ ଅନୁସାରେ କରାଯାଇଥିଲା । ଭାରତର ଚାପରେ ପାକିସ୍ତାନ ବିଏସଏଫ ଯବାନ ପୂର୍ଣ୍ଣମ କୁମାର ସ ’ଙ୍କୁ ଗିରଫଦାରୀରୁ ମୁକ୍ତ କରିଥିଲା ।
ବିଏସ୍ଏଫ୍ ଅଧିକାରୀଙ୍କ ସୂଚନା ଅନୁସାରେ, ଯବାନ ପୂର୍ଣ୍ଣମ କୁମାର ବର୍ଡର ପାଖାପାଖି ଏକ କ୍ଷେତରେ କୃଷକମାନଙ୍କ ସହ ଥିଲେ । ଗୋଟିଏ ଗଛ ତଳେ ବିଶ୍ରାମ କରିବାକୁ ଯାଇ ଅଜାଣତରେ ପାକିସ୍ତାନ ପଟକୁ ଚାଲିଯାଇଥିଲେ । ଏହାର ସୁଯୋଗ ନେଇ ପାକ୍ ରେଞ୍ଜର୍ସ ତାଙ୍କୁ ଉଠାଇ ନେଇ ଅଟକ ରଖିଥିଲେ । ପଶ୍ଚିମବଙ୍ଗର ହୁଗଳି ଜିଲ୍ଲା ରିଶ୍ରାରେ ରହୁଥିବା ପୂର୍ଣ୍ଣମ କୁମାର ବିଏସଏଫରେ ୧୮୨ତମ ବାଟାଲିୟନରେ କାର୍ଯ୍ୟରତ ଥିଲେ ।

