ଆନ୍ତର୍ଜାତୀୟ

ବିମାନ ଦୁର୍ଘଟଣା ପରେ ବାଂଲାଦେଶକୁ ସାହାଯ୍ୟର ହାତ ବଢାଇଲା ଭାରତ !

Spread the love

ବାଂଲାଦେଶରେ ବିମାନ ଦୁର୍ଘଟଣା ପରେ ସାହାଯ୍ୟର ହାତ ବଢ଼ାଇଲେ ମୋଦି । ଏହି ଦୁର୍ଘଟଣାରେ ଆହତମାନଙ୍କ ସ୍ବତନ୍ତ୍ର ଚିକିତ୍ସା ପାଇଁ ଡାକ୍ତର ଏବଂ ନର୍ସ ଟିମକୁ ପଠାଉଛି ଭାରତ ।

ବିମାନ ଦୁର୍ଘଟଣା ପରେ ବାଂଲାଦେଶରେ ଭୟାନକ ପରିସ୍ଥିତି ସୃଷ୍ଟି କରିଛି । ବାଂଲାଦେଶୀ ବାୟୁସେନାର ଲଢୁଆ ଯୁଦ୍ଧ ବିମାନ ଢାକାର ସ୍କୁଲ ଏବଂ କଲେଜରେ ଧକ୍କା ହୋଇଥିଲା । ଫଳରେ ଏହି ଦୁର୍ଘଟଣାରେ ଅଧିକାଂଶ ପିଲାଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପାଇଁ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହାରି ମଧ୍ୟରେ ବାଂଲାଦେଶ ପାଇଁ ଭାରତ ସାହାଯ୍ୟର ହାତ ବଢ଼ାଇଛି ।

ସୂଚନାନୁଯାୟୀ, ମଙ୍ଗଳବାର ଦିନ ଭାରତର ବୈଦେଶିକ ମନ୍ତ୍ରଣାଳୟ ଏହି ମାମଲାର ସୂଚନା ଦେଇଛି । ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ‘ବର୍ଣ୍ଣ-ସ୍ପେଶାଲିଷ୍ଟ’ ଡାକ୍ତର ଏବଂ ନର୍ସଙ୍କ ଏକ ଟିମ୍ ଆବଶ୍ୟକୀୟ ଚିକିତ୍ସା ସହାୟତା ସହିତ  ପୀଡିତଙ୍କ ଶୀଘ୍ର ଚିକିତ୍ସା ପାଇଁ ବାଂଲାଦେଶର ଢାକାରେ ପହଁଞ୍ଚିଛନ୍ତି । ଟିମ୍ ଆହତଙ୍କ ସ୍ଥିତିକୁ ଆକଳନ କରିବା ସହିତ ଆବଶ୍ୟକ ମୁତାବକ ଭାରତରେ ଅଧିକ ଚିକିତ୍ସା ଏବଂ ସ୍ୱତନ୍ତ୍ର ଯତ୍ନର ସୁପାରିଶ କରିବ ।ଢାକା ଯାଉଥିବା ଦଳରେ ଦିଲ୍ଲୀର ଦୁଇଜଣ ଡାକ୍ତର ସାମିଲ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ରାମ ମନୋହର ଲୋହିଆ ହସ୍ପିଟାଲର ଏବଂ ଅନ୍ୟ ଜଣେ ସଫଦରଜଙ୍ଗ ହସ୍ପିଟାଲର ବୋଲି ଜଣାପଡିଛି ।

ଅନ୍ୟପଟେ ଦୁର୍ଘଟଣା ପରେ ମୋଦି ଦୁଃଖ ପ୍ରକାଶ କରିବା ସହିତ ସମସ୍ତ ସାହାଯ୍ୟ ଯୋଗାଇ ଦେବେ ବୋଲି କହିଥିଲେ । ଏହା ସହିତ ମୋଦି ଟ୍ବିଟରରେ ଟ୍ବିଟ୍ କରି କହିଥିଲେ ଯେ, ’’ଢାକାର ବିମାନ ଦୁର୍ଘଟଣାରେ ଆମେ ଗମ୍ଭୀର ଭାବରେ ମର୍ମାହତ ଏବଂ ଦୁଃଖିତ । ଶୋକସନ୍ତପ୍ତ ପରିବାରକୁ ଆମର ସମବେଦନା । ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ଆମେ ପ୍ରାର୍ଥନା କରୁଛୁ । ଭାରତ ବାଂଲାଦେଶ ସହିତ ଏକତାରେ ଠିଆ ହୋଇଛି ଏବଂ ସମସ୍ତ ପ୍ରକାରର ସାହାଯ୍ୟ ଏବଂ ସମର୍ଥନ ଯୋଗାଇବାକୁ ପ୍ରସ୍ତୁତ ।”

ସୂଚନାଯୋଗ୍ୟ, ଜୁଲାଇ ୨୧ ତାରିଖରେ ଲଢୁଆ ଯୁଦ୍ଧ ବିମାନ ଢାକାର ମାଇଲଷ୍ଟୋନ୍ ସ୍କୁଲ୍ ଏବଂ କଲେଜ କୋଠାରେ ଧକ୍କା ଦେବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ୩୧ଜଣଙ୍କର ମୃତ୍ୟୁ ହୋଇଥିଲା । ସେମାନଙ୍କ ମଧ୍ୟରେ ୨୫ ଜଣ ଛାତ୍ର ରହିଥିଲେ । ଦୁର୍ଘଟଣାରେ ବହୁ ସଂଖ୍ୟାର ପିଲା ଏବଂ ଲୋକ ଆହତ ହୋଇଛନ୍ତି ।

   

Leave a Reply

Your email address will not be published. Required fields are marked *