ବନ୍ୟା ପାଣି ରେ ବୁଡ଼ିଲା ଉତ୍ତର ବାଲେଶ୍ୱର !
ବନ୍ଯା ପାଣିରେ ଉବୁଟୁବୁ ଉତ୍ତର ଓଡ଼ିଶା । ନଦୀ କୂଳିଆଙ୍କ ଉପରେ ଦାଉ ସାଧୁଛି ସୁବର୍ଣ୍ଣରେଖା ଏବଂ ଜଳକା ନଦୀ । ଗତ କିଛି ଦିନ ମଧ୍ଯରେ ସୁବର୍ଣ୍ଣରେଖା ନଦୀରେ ପଞ୍ଚମ ଥର ବନ୍ଯା ଆସି ଥିବାବେଳେ ଜଳକା ନଦୀର ଦ୍ବିତୀୟ ଥର ଆସିଛି ବନ୍ଯା । ଜଳକା ନଦୀରେ ବନ୍ଯା ଆସିବା ଯୋଗୁ ବସ୍ତା ବ୍ଲକର ୮ଟି ପଞ୍ଚାୟତ ଏବଂ ସଦର ବ୍ଲକର ୪୦ରୁ ଅଧିକ ଗାଁ ପ୍ରଭାବିତ ହୋଇଛି ।
ଶହ ଶହ ହେକ୍ଟର ଚାଷ ଜମିରେ ଲହିଡି ମାରୁଛି ବନ୍ଯା ପାଣି । ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିବା ବେଳେ ସୁବର୍ଣ୍ଣରେଖା ନଦୀ ର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ନଦୀର ରାଜଘାଟ ନିକଟରେ ବିପଦ ସଙ୍କେତ ୧୦.୩୬ ରହିଥିବା ବେଳେ ସକାଳା ୬ଟା ସୁଦ୍ଧା ୧୦.୫୫ ମିଟରରେ ପ୍ରବାହିତ ହେଉଛି ବନ୍ୟାଜଳ ।
ବାଲିଆପାଳ ବ୍ଲକର ୮ଟି ପଞ୍ଚାୟତର ୩୫ ଗାଁ ପାଣି ଘେରରେ ରହିଛି । ଭୋଗରାଇ ବ୍ଲକର ୧୩ ପଞ୍ଚାୟତର ୬୦ରୁ ଅଧିକ ଗାଁ ଜଳବନ୍ଦୀରେ ରହିଛି । ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ୪ ଫୁଟ ଉଚ୍ଚର ବନ୍ଯାପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ତଳିଆ ଅଞ୍ଚଳର ଲୋକଙ୍କୁ ବାନ୍ଯା ଆଶ୍ରୟସ୍ଥଳୀରେ ରଖାଯାଇଥିବା ବେଳେ ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ଯ ଏବଂ ରନ୍ଧା ଖାଦ୍ଯ ର ବ୍ଯବସ୍ଥା କରାଯାଉଛି ।

