odisha

ବାଲୁଖଣ୍ଡ ଅଭୟାରଣ୍ୟରେ କୃଷ୍ଣସାର ମୃଗଙ୍କ ପ୍ରଥମ ନବଜାତକ

Spread the love

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଗର୍ବ ଓ ଗୌରବ ହେଉଛି କୃଷ୍ଣସାର ମୃଗ । ନବାଗତ କୃଷ୍ଣସାର ମୃଗଙ୍କ ଦ୍ୱାରା ବାଲୁଖଣ୍ଡ ଅଭୟାରଣ୍ୟରେ ଏବେ ପ୍ରଥମ ନବ-ଜାତକ । ଦୀର୍ଘବର୍ଷ ଧରି କୃଷ୍ଣସାର ମୃଗ ଶୂନ୍ୟ ହୋଇ ପଡ଼ିଥିଲା ପୁରୀ ବାଲୁଖଣ୍ଡ ଅଭୟାରଣ୍ୟ । ସେହି ଶୂନ୍ୟସ୍ଥାନ ପୁରଣ ପାଇଁ ସହାୟକ ହେଲା ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ । ଗତ କିଛି ମାସ ପୂର୍ବରୁ ୪ ଟି ପର୍ଯ୍ୟାୟରେ ୪ ଟି କୃଷ୍ଣସାରଙ୍କୁ ନେଇ ବାଲୁଖଣ୍ଡରେ ଛଡାଗଲା । ନୂଆ ଠିକଣାରେ ଜୀବନ ଜୀଇଁବା ଆରମ୍ଭ କଲେ ବିଶ୍ବର ଏହି ବିରଳ ବନ୍ୟପ୍ରାଣୀ ।

ସେଠାରେ ଅସ୍ଥାୟୀ ଭାବେ ତିଆରି ହୋଇଥିବା ଏନକ୍ଳୋଜରରେ ରହିଲେ । ପ୍ରଥମଥର ପାଇଁ ନବାଗତଙ୍କ ଦ୍ବାରା ବଂଶ ବୃଦ୍ଧି ଆରମ୍ଭ ହେଲା । ବନ୍ୟପ୍ରାଣୀ ବିଭାଗ ପାଇଁ ସଫଳ ହେଲା ନୂଆ ସମ୍ଭାବନା । ଗତ ୨୦୧୨ -୧୩ରେ ବାଲୁଖଣ୍ଡ ଅଭୟାରଣ୍ୟରୁ କୃଷ୍ଣସାର ମୃଗଙ୍କ ସଂଖ୍ୟା ଲୋପ ହୋଇ ଯାଇଥିଲା । ସେହି ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡରୁ କୃଷ୍ଣସାର ମୃଗଙ୍କୁ ନେଇ ସେଠାରେ ବଂଶ ବୃଦ୍ଧି କରିବାକୁ ପରିକଳ୍ପନା କରାଗଲା ।

ସେହି କାରଣରୁ ବାଲୁଖଣ୍ଡ ଅଭୟାରଣ୍ୟକୁ ୮ଟି କୃଷ୍ଣସାର ମୃଗ ପଠାଇବା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଲେ । ଗତ ଜାନୁଆରୀ ସୁଧା ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡର ଜଗନ୍ନାଥପ୍ରସାଦ ବନାଞ୍ଚଳରୁ ୪ ଟି ପର୍ଯ୍ୟାୟରେ ୩ ଟି ମାଈ ଏବଂ ଗୋଟିଏ ଅଣ୍ଡିରା କୃଷ୍ଣସାର ମୃଗଙ୍କୁ ନେଇ ବାଲୁଖଣ୍ଡରେ‌ ଛଡାଯାଇଥିଲା । ଆହୁରି ୪ ଟି କୃଷ୍ଣସାରଙ୍କୁ ନେବାପାଇଁ ବ୍ୟବସ୍ଥା ଜାରି ରହିଛି । ହେଲେ ତା ପୂର୍ବରୁ ନବାଗତ କୃଷ୍ଣସାରଙ୍କ ବଂଶବୃଦ୍ଧି ଆରମ୍ଭ ହୋଇଛି ।

ଏହା ସ୍ପଷ୍ଟ ଯେ ଘୁମୁସର ବନଖଣ୍ଡର କୃଷ୍ଣସାର ବାଲୁଖଣ୍ଡ ଅଭୟାରଣ୍ୟର ଜଳବାୟୁ ସହ ଖାପଖୁଆଇ ରହିପାରିବେ । ଗଞ୍ଜାମର ଗୌରବ ପାଲଟିଥିବା କୃଷ୍ଣସାର ମୃଗ ଉଭୟ ଉତ୍ତର ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡରେ ମୁକ୍ତ ଏବଂ ଅବାଧ ବିଚରଣ ବିଚରଣ କରିଆସୁଛନ୍ତି । ଏବେ ବାଲୁଖଣ୍ଡ ଅଭୟାରଣ୍ୟରେ କୃଷ୍ଣସାରଙ୍କ ଶୂନ୍ୟସ୍ଥାନ ପୂରଣ କରିବା ପାଇଁ ଘୁମୁସର ବନଖଣ୍ଡ ପ୍ରମୁଖ ମାଧ୍ୟମ ହୋଇଛି । ଯାହାକି ବନ୍ୟପ୍ରାଣୀ ସୁରକ୍ଷା କ୍ଷେତ୍ରରେ ବନବିଭାଗର ଆଉଏକ ସଫଳତା ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି ।

କୃଷ୍ଣସାର ମୃଗ ବର୍ତ୍ତମାନ ସମୟରେ ଏକ ସ୍ବତନ୍ତ୍ର ପ୍ରଜାତିର ମୃଗ ଅଟନ୍ତି । ଏହା ବିଶେଷ ଭାବରେ ଭାରତ ଓ ନେପାଳରେ ଦେଖାଯାଆନ୍ତି । ଅବାଧ ଶିକାର, ଜଙ୍ଗଲ କ୍ଷୟ ଓ ପାଣିପାଗ ପରିବର୍ତ୍ତନ ଯୋଗୁଁ ଏହା ବିଲୁପ୍ତ ହେବାରେ ଲାଗିଛନ୍ତି । ଏହାର ବଂଶବୃଦ୍ଧି ପାଇଁ ସରକାର ଅନେକ ଯୋଜନା ଜାରି ରଖିଛନ୍ତି । ଦେଶର ଅନେକ ପ୍ରାଣୀ ଉଦ୍ୟାନ, ଅଭୟାରଣ୍ୟରେ ଏମାନଙ୍କୁ ରଖାଯାଇ ବଂଶବୃଦ୍ଧି ପାଇଁ ପ୍ରୟାସ କରାଯାଉଛି । ଯେଉଁ ପ୍ରୟାସ ଏବେ ଗଞ୍ଜାମରେ ସଫଳ ହୋଇଛି । ଏମାନେ ବିଶେଷ ଭାବରେ ଖୋଲା ଘାସ ଥିବା ଅଞ୍ଚଳ ଓ କମ ଜଙ୍ଗଲ ଅଞ୍ଚଳରେ ବିଚରଣ କରିଥାନ୍ତି ।

Leave a Reply

Your email address will not be published. Required fields are marked *