ରାଜ୍ୟରେ ଗଡିବ ହାଇଡ୍ରୋଜେନ୍ ଚାଳିତ ବସ୍
ରାଜ୍ୟରେ ଗଡିବ ହାଇଡ୍ରୋଜେନ୍ ଚାଳିତ ବସ୍ । ପରିବେଶ ଅନୁକୂଳମୁଖୀ କାର୍ଯ୍ୟକୁ ଆଗକୁ ବଢାଇବାକୁ ଯାଇ କିଛି ଏମିତି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ରାଜ୍ୟରେ ସବୁଜ ହାଇଡ୍ରୋଜେନ୍ ଚାଳିତ ବସ୍ ଆରମ୍ଭ କରିବା ନେଇ ଗ୍ରୀଡକୋ, ଏନଟିପିସି ଏବଂ କ୍ରୁଟ ସହ ଏକ ଏମଓୟୁ ସ୍ବାକ୍ଷର କରିଛନ୍ତି ରାଜ୍ୟ ସରକାର ।ଏହି ସବୁଜ ହାଇଡ୍ରୋଜେନ୍ ନର୍ଦ୍ଦମା ପାଣିରୁ ଉତ୍ପାଦନ କରାଯିବ । ନିଷ୍କାସିତ ବର୍ଜ୍ୟ ପାଣିକୁ ପୁନଃବ୍ୟବହାରରେ ଲଗାଇ ଚାଲିବ ଏହି ହାଇଡ୍ରୋଜେନ୍ ବସ୍ । ସବୁଠୁ ଲାଭଦାୟକ କଥା ହେଉଛି ଏହି ପ୍ରକ୍ରିୟା ମାଧ୍ୟମରେ ଅମ୍ଳଜାନ ମଧ୍ୟ ନିର୍ଗତ ହେବ । ସେଥିପାଇଁ ଏହାକୁ ଗ୍ରୀନ ହାଇଡ୍ରୋଜେନ୍ ବୋଲି କୁହାଯାଉଛି । ଯେଉଁଥିରେ ୧ କେଜି ହାଇଡ୍ରୋଜେନର ଉପଉତ୍ପାଦ ଭାବେ ୮ କେଜି ଅମ୍ଳଜାନ ଉତ୍ପନ୍ନ ହେବ । ଆସନ୍ତା ବର୍ଷ ଅର୍ଥାତ୍ ୨୦୨୫ ଅଗଷ୍ଟ ୧୫ରୁ ଆରମ୍ଭ ହେବାକୁ ଥିବା ବେଳେ ଏଥିରେ ପ୍ରଥମ ପର୍ଯ୍ୟାୟରେ ମୋଟ ୩ଟି ବସ୍ ଓଡିଶା ରାସ୍ତାରେ ଗଡିବ । ଏହାପରେ ଭୁବନେଶ୍ବର, କଟକ ଏବଂ ପୁରୀରେ ପର୍ଯ୍ୟାୟକ୍ରମେ ହାଇଡ୍ରୋଜେନ୍ ବସ୍ ଚାଲିବ । ଏଥିପାଇଁ ନେସନାଲ ଥର୍ମାଲ ପାଓ୍ବାର କର୍ପୋରେସନ ବା ଏନଟିପିସିକୁ ସବୁଜ ହାଇଡ୍ରୋଜେନ୍ର ବସର ନିର୍ମାଣ ଦାୟିତ୍ବ ଦିଆଯାଇଛି ।

