ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସୁରକ୍ଷା କଡ଼ାକଡ଼ି
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଦୁଇ ଗୋଷ୍ଠୀ ମାରପିଟ୍ ପରେ ଛାତ୍ରଙ୍କ ସହ ଗୋପାଳପୁର ଥାନା ଘେରିଥିଲେ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନେତୃତ୍ୱରେ ଶତାଧିକ ଛାତ୍ର । ନିନ୍ଦା କଲା ବିଜେପି । ଏପଟେ କଂଗ୍ରେସ ଓ ବିଜେପି ବିରୋଧରେ ଏସପିଙ୍କୁ ଫେରାଦ ହେଲା ବିଜେଡି ।
ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଛାତ୍ର ଅଶାନ୍ତି ପରେ ଜୋର୍ ଧରିଛି ରାଜନୀତି । ଅଶାନ୍ତି ସୃଷ୍ଟି କରୁଥିବା ଅଣଛାତ୍ରଙ୍କୁ ଗିରଫ ଦାବିରେ ସାନଖେମୁଣ୍ଡି ବିଧାୟକ ତଥା କଂଗ୍ରେସ ନେତା ରମେଶ ଜେନାଙ୍କ ନେତୃତ୍ୱରେ ଏକ ଛାତ୍ରଗୋଷ୍ଠୀ ଗୋପାଳପୁର ଥାନା ଘେରାଉ କରିଥିଲେ । ଅନ୍ୟପଟେ ବିଶ୍ବବିଦ୍ୟାଳୟର ବିକାଶରେ କିଛି ଲୋକେ ବାଧା ଦେବାକୁ ଚେଷ୍ଟା କରୁଛନ୍ତି ଅଭିଯୋଗ ଆଣିବା ସହ କ୍ୟାମ୍ପସରେ ଅଶାନ୍ତିକୁ ସୃଷ୍ଟି କରାଯିବାକୁ ବିଜେପି କଡ଼ା ନିନ୍ଦା କରିଛି । ସେପଟେ କଂଗ୍ରେସ ଓ ବିଜେପି ବିରୋଧରେ ଏସପିଙ୍କୁ ଫେରାଦ ହେବା ସହ ଏକ ଦାବିପତ୍ର ଦେଇଛି ଛାତ୍ର ବିଜେଡି । ତୁରନ୍ତ କ୍ୟାମ୍ପସରେ ଶାନ୍ତି ଫେରାଇ ଆଣିବାକୁ ବିଜେଡି ଦାବି କରିଛି ।
ଛାତ୍ର ନିର୍ବାଚନକୁ ସବୁଜ ସଂକେତ ମିଳିବା ପରେ ଏବେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଗୋଷ୍ଠୀଙ୍କ ଭିତରେ ବିବାଦ ମୁଣ୍ଡ ଟେକୁଛି । କିଛିଦିନ ତଳେ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟରେ ଦୁଇ ଗୋଷ୍ଠୀ ଭିତରେ ମାରପିଟ୍ ସହ ଥାନାରେ ଯାଇ ବୁଝାମଣା ହୋଇଥିଲା । ଏହାପରେ ବୁଧବାର ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବାବେଳେ ଭଞ୍ଜବିହାରରେ ପୁଣି ଦୁଇ ଗୋଷ୍ଠୀ ମାରପିଟ୍ ହୋଇଛନ୍ତି । ଏଥିରେ ଅଭିଳାଷ ନାମକ ଜଣେ ଛାତ୍ର ଆହତ ହୋଇଥିଲେ । ପରେ ରାତିରେ ସାନଖେମୁଣ୍ଡି ବିଧାୟକଙ୍କ ନେତୃତ୍ୱରେ ଶତାଧିକ ଯୁବକ ଗୋପାଳପୁର ଥାନା ଘେରାଉ କରିଥିଲେ । ପୋଲିସ ବୁଝାସୁଝା ପରେ ଆନ୍ଦୋଳନ ହଟିଥିଲା । ଗୁରୁବାର ମଧ୍ୟ କିଛି ଛାତ୍ରନେତା ବିଶ୍ଵବିଦ୍ୟାଳୟରେ ନାରା ଦେଇ ଗୁଣ୍ଡାଗର୍ଦ୍ଦି ବନ୍ଦ ପାଇଁ ଧାରଣା ଦେଇଥିଲେ ।

