ପଶ୍ଚିମ ଓଡିଶାର ବାବା ସୋମେଶ୍ଵର ଶୈବପୀଠ ପ୍ରତି ସୋମବାରେ ଭକ୍ତଙ୍କ ଭିଡ ଜମେ
ବଲାଙ୍ଗିର: ବଲାଙ୍ଗିର ଜିଲ୍ଳାର ରାଣିପୁର ତନ୍ତ୍ର, ମନ୍ତ୍ର ଓ ଯନ୍ତ୍ରର ପୀଠ । ସର୍ବଧର୍ମ ସମନ୍ୱୟରେ ନବମ ଶତାଦ୍ଦୀରେ ଗଢି ଉଠିଥିଲା ରାଣିପୁର ଝରିଆଲ ପୀଠ । ବିରାଟକାୟ ଲଣ୍ଡା ପାହାଡ ଚଟାଣରେ ରହିଛି ସୋମେଶ୍ଵର ବାବାଙ୍କ ମନ୍ଦିର । ପଶ୍ଚିମ ଓଡିଶାର ଅନେକ ଶୈବପୀଠ ମଧ୍ୟରୁ ସୋମେଶ୍ଵର ବାବାଙ୍କ ପୀଠ ବହୁ ପୁରୁଣା । ବାବାଙ୍କ ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ ଜମେ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ରାଣିପୁର ଝରିଆଲରେ ପୂଜା ପାଉଛନ୍ତି ବାବା ସୋମେଶ୍ଵର । ସର୍ବଧର୍ମ ସମନ୍ୱୟରେ ନବମ ଶତାଦ୍ଦୀରେ ଗଢି ଉଠିଥିବା ଏହି ପୀଠରେ ପୂଜା ପାଉଛନ୍ତି ସୋମେଶ୍ଵର ମହାଦେବ । ସୋମବଂଶୀ ରାଜାମାନେ ଏହି ଭବ୍ୟ ମନ୍ଦିର ନିର୍ମାଣ କରିଥିବା ଜଣାଯାଏ ।
ମନ୍ଦିର ନିକଟରେ ଏକ ପୁଷ୍କରଣୀ ଅଛି । ସମିଆ ବନ୍ଧ ନାମରେ ନାମିତ ହୋଇଛି | ଏହି ପୋଖରୀରେ ଏକ ସୁଡଙ୍ଗ ଅଛି । ଏହି ସୁଡ଼ଙ୍ଗ ଟିଟିଲାଗଡ କୁମୁଡା ପାହାଡ ନିକଟସ୍ଥ ପ୍ରସିଦ୍ଧ ଧବଳେଶ୍ଵର ବାବାଙ୍କ ପୀଠକୁ ଲମ୍ବିଥିବା ବିଶ୍ବାସ କରାଯାଏ |ସୋମେଶ୍ୱର ମନ୍ଦିରର କାରୁକାର୍ଯ୍ୟ ବହୁତ ନିଆରା । ଶିବରାତ୍ରି ଏଠାରେ ଭକ୍ତଙ୍କ ବହୁତ ଭିଡ ଯମେ | ଏହିଠାରେ ଆଉ ଦୁଇଟି ମନ୍ଦିର ରହିଛି | ରାଣୀପୁର ଝରିଆଲରେ ଥିବା ଚଉଷଠି ଯୋଗିନୀ ମନ୍ଦିର ଓ ଇନ୍ଦଲାଟ ମନ୍ଦିର ବିରଳ କଳାକୃତି । ଏହି ଚଉଷଠି ଯୋଗିନି ମନ୍ଦିର ପରିସରରେ ପୂର୍ବରୁ ୧୦୮ ଟି ମନ୍ଦିର ଥିବାବେଳେ ବର୍ତମାନ କେବଳ ୪୮ ଟି ମନ୍ଦିର ଅଛି । ସେ ମଧ୍ୟରୁ କେବଳ ସୋମେଶ୍ୱର ପୂଜା କରାଯାଉଥିବା ବେଳେ ଅନ୍ୟ ମନ୍ଦିର ଅପୂଜା ରହିଛି । ଏଠାରେ ଥିବା ପଥର ଚଟାଣରେ ୨ଟି ଚକ୍ରବ୍ୟୁହ ରହିଛି ।
ପର୍ଯ୍ୟଟକମାନେ ଏହି ଚକ୍ରବ୍ୟୁହରେ ବୁଲିବାର ବେଶ ମଜା ଉଠାନ୍ତି । ଏହି ସ୍ଥାନରେ ବର୍ଷର ପ୍ରତିଟି ସମୟରେ ଭିଡ଼ ଜମୁଥିବା ବେଳେ ପ୍ରତି ସୋମବାରେ ଭକ୍ତଙ୍କ ସଂଖ୍ୟା ବଢିଥାଏ । କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ଏହି ପୀଠର ଦୂରତା ୩୦ କିଲୋମିଟର । ସୋମେଶ୍ଵର ବାବାଙ୍କ ପୀଠରେ ବାବାଙ୍କୁ ଦର୍ଶନ କରି ଲୋକେ ମାନସିକ ରଖିଥିବା ବେଳେ ଅନେକ ଲୋକଙ୍କ ମାନସିକ ପୂରଣ ହେଉଛି ।

