odisha

ଯୁବଚାଷୀଙ୍କର ନିଆରା ପ୍ରୟାସ !

Spread the love

ଭଦ୍ରକ: ବର୍ତ୍ତମାନ ସମୟରେ ଚାଷ ପ୍ରତି ଯୁବ ଗୋଷ୍ଠୀ ମାନଙ୍କର ଆଗ୍ରହ ଦେଖା ଯାଉନାହିଁ । ଏପରିସ୍ଥଳେ ଜଣେ ଯୁବକ ଆଗ୍ରହ ସହକାରେ ଚାଷକୁ ଆପଣାଇ ନେଇଛନ୍ତି । ନିଜର ଦୃଢ ଇଛା ଶକ୍ତି ଓ କଠିନ ପରିଶ୍ରମ ବଳରେ ତିନି ଏକର ରୁ ଉର୍ଦ୍ଧ୍ୱ ପରିମିତ ଜମିରେ ପାଞ୍ଚ ଶହ ରୁ ଉର୍ଦ୍ଧ୍ୱ ବିଭିନ୍ନ ପ୍ରକାରର ଫଳ ଗଛ ଲଗାଇବା ସହ ଧାନ ମାଛ ଚାଷ କରୁଛନ୍ତି । ସମନ୍ବିତ ପ୍ରଣାଳୀ ରେ ଚାଷ କରି ନିଜେ ଆତ୍ମ ନିର୍ଭରଶୀଳ ହେବା ସହ କିଛି ଲୋକଙ୍କୁ ରୋଜଗାର ଦେବା ଯୁବକଙ୍କର ମୁଖ୍ୟ ପ୍ରୟାସ । ଆଜିକାଲି ପାଠ ପଢି ବେକାର ବସି ରହୁଥିବା ଯୁବକ ମାନଙ୍କ ପାଇଁ ଏହି ଫାର୍ମ ଟି କିପରି ପ୍ରେରଣା ର ଉତ୍ସ ପାଲଟିଛି ଭଦ୍ରକ ବ୍ଲକ ଅଧିନସ୍ଥ ବନ୍ଧ ଗାଁ ପଞ୍ଚାୟତ କାଳିଦାସ ପୁର ଗାଁ ରୁ ଦେଖନ୍ତୁ ଏହି ରିପୋର୍ଟ ।

ବିରାଟ ଫାର୍ମଟିରେ ବିଭିନ୍ନ ପ୍ରକାରର ଗଛ ସହ, ଫଳିଥିବା ଭଳିକି ଭଳି ଫଳ ଗୁଡିକ ବେଶ ଆକୃଷ୍ଟ କରୁଛି । ଯୁବକଙ୍କର ଏ ସୁନ୍ଦର ପ୍ରୟାସ ତାଙ୍କୁ ଆତ୍ମ ସନ୍ତୋଷ ଆଣିଦେଇଛି । ଭଦ୍ରକ ବ୍ଲକ ବନ୍ଧଗାଁ ପଞ୍ଚାୟତ କାଳିଦାସପୁର ଗ୍ରାମର ଯୁବକ ପ୍ରତାପ ନାୟକ । ନିଜର ବଡ଼ ଭାଇ ପ୍ରମୋଦଙ୍କ ସହିତ ମିଶି 3 ଏକର ପରିମିତ ଚାଷ ଜମି ଚାରିପଟେ ଲଗାଇଛନ୍ତି ପାଞ୍ଚ ଶହ ରୁ ଉର୍ଦ୍ଧ୍ୱ ବିଭିନ୍ନ ପ୍ରକାର ଫଳ ଗଛ. ଜମିର ମଧ୍ୟ ଭାଗ କୁ ଛାଡି ଚାରିପଟେ ଦଶ ଫୁଟ ରୁ ଉର୍ଦ୍ଧ୍ୱ ଓସାରରେ ମାଟି ପକାଇ ଲଗାଇଛନ୍ତି ବିଭିନ୍ନ ପ୍ରକାର ର ଗଛ । ଏହାଦ୍ୱାରା ଜମିର ମଧ୍ୟ ଭାଗରେ ଖରିଫ ଓ ରବି ଧାନ ଚାଷ ସହ ସୂର୍ଯ୍ୟମୁଖୀ ଚାଷ କରି ବେଶ ଲାଭବାନ ହୋଇ ପାରୁଛନ୍ତି । ଦୁଇ ବର୍ଷ ହେଲା ଏହି ଫାର୍ମ ଟି ଆରମ୍ଭ କରିବା ସହ ଚାରିପଟେ ଆମ୍ବ, କଦଳୀ, ଓଡ଼ଶି ସଜନା, ଗୁଆ, ନାସପାତି, ଡାଳିମ୍ବ, ଜାମୁ୍ରୋଳ,ଗୁଜରାତି, ପିଜୁଳି, ଲେମ୍ବୁ, ସେଓ, ଡାଳଚିନି,କଦଳୀ ସମେତ ଆହୁରି ଅନେକ ଗଛ ଲଗାଇଛନ୍ତି । ବିଭିନ୍ନ ପ୍ରକାର ର ଔଷଧୀୟ ବୃକ୍ଷ ଲଗାଇଥିବା ମଧ୍ୟରୁ ଏଞ୍ଜର ଗଛରେ ଫଳ ଭର୍ତ୍ତି ହୋଇଛି, ମାର୍କେଟ ରେ କିଲୋ ପ୍ରତି 350 ରୁ 400 ଟଙ୍କାରେ ବିକ୍ରି ହେବ । ମୁଖ୍ୟତଃ ମଧୁମେହ, ହୃଦ ରୋଗ ପାଇଁ ଏହି ଫଳ ଟି ବହୁତ ଉପକାରୀ । ବିଭିନ୍ନ କିସମର ପିଜୁଳି ଗଛ ଲଗାଇଛନ୍ତି । ବର୍ତ୍ତମାନ ପିଜୁଳି ଗୁଡିକ ଅଧିକ ଫଳିଛି, ଗୋଟିଏ ପିଜୁଳି ର ଓଜନ ପ୍ରାୟ ସାତ ଶହ ଗ୍ରାମ ହେବ । ପ୍ରାୟ ଦୁଇ ଲକ୍ଷରୁ ଅଧିକ ଟଙ୍କାରେ କୋଲକତା, ବାଲେଶ୍ୱର ରୁ ଗଛ ଗୁଡିକ ଆଣିବା ସହ ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଏହି ଫାର୍ମ ରେ ବର୍ତ୍ତମାନ ବିନିଯୋଗ କରିଚାଲିଛନ୍ତି । ଲଗାଇଥିବା ଗଛ ଗୁଡିକ ବର୍ତ୍ତମାନ ପ୍ରତାପ ଙ୍କୁ ଲାଭ ଦାୟକ ହୋଇନଥିବା ବେଳେ, ଆଗକୁ ନିଶ୍ଚୟ ଲାଭ ପ୍ରାପ୍ତ ହେବ ବୋଲି ପ୍ରତାପ ଆଶାବାଦୀ ଅଛନ୍ତି । ଗୋଟିଏ ସୁନ୍ଦର ଫାର୍ମ କରିବା ଭାରି ଇଛା ଥିଲା । ଏଥିସହ ଚାଷ ସହ ବିଭିନ୍ନ ପ୍ରକାର ର ଗଛ ଲଗାଇ କିପରି ଆତ୍ମ ନିର୍ଭରଶୀଳ ହେବା ସହ ଏହା ଦ୍ୱାରା କିଛି ଲୋକଙ୍କୁ ନିଯୁକ୍ତି ଦେଇପାରିବାର ଲକ୍ଷ ରଖି ଫାର୍ମ ଟିକୁ ଆରମ୍ଭ କରିଥିଲେ ପ୍ରତାପ । ବର୍ତ୍ତମାନ ତିନି ଜଣ ଲୋକ ଫାର୍ମ ରେ କାର୍ଯ୍ୟରତ । ସରକାରୀ ପ୍ରୋତ୍ସାହନ ମିଳି ପାରିଲେ ଆଗକୁ ଫାର୍ମ ଟିକୁ ବଢ଼ାଇ ବହୁ ଲୋକ ଙ୍କୁ ନିଯୁକ୍ତି ଦେଇ ସେମାନଙ୍କୁ ରୋଜଗାର ଦେଇ ପାରିବେ ବୋଲି ଆଶା ରଖିଛନ୍ତି । ମୂଳରୁ ଚାଷ ପ୍ରତି ଆଗ୍ରହ ରହିଥିଲା, ଆଜିକାଲି ଚାକିରୀ ଖଣ୍ଡିଏ ପାଇଁ କେତେ ଧାଁ ଦୌଡ଼ । ଫାର୍ମଟି ତିଆରି କରି ଏତେ ସଂଖ୍ୟକ ଗଛ ଲଗାଇବା ସହ ଚାଷ ରେ ସଫଳ ହୋଇପାରିଛି । ଆଗକୁ ନିଶ୍ଚୟ ଭଲ ରୋଜଗାର ଦେବ ବୋଲି ପ୍ରତାପ ଓ ତାଙ୍କ ଭାଇ କହିବା ସହିତ ସରକାରୀ ଯୋଜନା ର ସହାୟତା ଆବଶ୍ୟକ ବୋଲି କହିଛନ୍ତି ।

ସେହିପରି ବୃକ୍ଷ ଲଗାଇବା ସହ, ଧାନ, ପୋଖରୀରେ ମାଛ ଚାଷ କରିଛନ୍ତି । ଚାଷ ଆନୁସଙ୍ଗିକ ବିଭିନ୍ନ କୃଷି ଯନ୍ତ୍ର ପାତି, ଦୁଇଟି ପାୱାର ଟିଲର ଓ ତିନି ଜଣ ବ୍ୟକ୍ତି ଙ୍କୁ ପ୍ରତାପ ରୋଜଗାର ଦେଇପାରିଛନ୍ତି । ଏହି ଫାର୍ମ କାର୍ଯ୍ୟ ରେ ନିୟୋଜିତ ହୋଇ ନିଜ ପରିବାର ର ଗୁଜୁରାଣ ମେଣ୍ଟାଇ ପାରୁଛୁ । ପ୍ରତାପ ଙ୍କର ନିଜର ପରିଶ୍ରମ ବଳରେ ସୁନ୍ଦର ଫାର୍ମ ଟି କରିପାରିଛନ୍ତି । ଏଥିରେ ତାଙ୍କ ବାପା ଭାଇ ଓ ମା ମଧ୍ୟ ପୂର୍ଣ୍ଣ ସହଯୋଗ କରୁଛନ୍ତି । ଫାର୍ମ ପାଇଁ ତାଙ୍କ ପୁରା ପରିବାର ଖୁସି । ଗଛ ପ୍ରତି ଥିବା ରୁଚି ଓ ଚାଷ ପ୍ରତି ଆଗ୍ରହ କୁ ଦେଖି ଆଖ ପାଖରେ ଥିବା ଯୁବ ଗୋଷ୍ଠୀ ନିଶ୍ଚୟ ଅନୁପ୍ରାଣିତ ହୋଇପାରିବେ । ବିଭାଗୀୟ ଅଧିକାରୀ ମାନେ ଫାର୍ମଟିକୁ ଦେଖି ଏଭଳି ଯୁବକଙ୍କୁ ପ୍ରୋତ୍ସାହିତ କରି ପାରିଲେ, ଫାର୍ମଟି ବହୁ ଲୋକଙ୍କ ରୋଜଗାରର ମାଧ୍ୟମ ପାଲଟିବ ବୋଲି ସ୍ଥାନୀୟ ବାସିନ୍ଦା ଓ ସମାଜ ସେବୀ ମାନେ କହିଛନ୍ତି । ତେବେ ଏହି ଯୁବକଙ୍କର ଏଭଳି ସୁନ୍ଦର କାର୍ଯ୍ୟ ପ୍ରଶଂସନୀୟ, ନିଶ୍ଚୟ ତାଙ୍କୁ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି ଭଦ୍ରକ ଜିଲ୍ଲା ଉଦ୍ୟାନ ବି ବିଭାଗ ର ଉପ ନିର୍ଦେଶକ କହିଛନ୍ତି ।

ବାସ୍ତବିକ ପ୍ରତାପ ଓ ତାଙ୍କ ଭାଇଙ୍କ ଏପରି ନିଷ୍ଠା ଓ ଆନ୍ତରିକ ଚାଷ କାର୍ଯ୍ୟ ପ୍ରତି ଯେ କେହି ଦେଖିଲେ ପ୍ରଶଂସା ନ କରି ରହି ପାରିବ ନାହିଁ. ତେଣୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି

Leave a Reply

Your email address will not be published. Required fields are marked *