odisha

ଅଗ୍ରପୂଜ୍ୟ ଶ୍ରୀ ଗଣେଶ ଙ୍କ ପୂଜା ପାଇଁ ଚାଲିଛି ଚଳ ଚଞ୍ଚଳ ,ମୂର୍ତ୍ତି କାମ ରେ ବ୍ୟସ୍ତ କାରିଗର !

Spread the love

ପାଖେଇ ଆସୁଛି ପ୍ରଭୁ ଗଣେଶଙ୍କ ପୂଜା । ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କ ପୂଜାକୁ ନେଇ ଚଳଚଞ୍ଚଳ ହେଲାଣି ଗାଁଠୁ ସହର । ଗଣେଶ ମୂର୍ତ୍ତି ତିଆରି କରିବାରେ ବ୍ୟସ୍ତ ହୋଇପଡିଛନ୍ତି ମୂର୍ତ୍ତି କାରିଗର । ଏ ବର୍ଷ ଲୋକଙ୍କ ଚାହିଦା ରହିଛି କାର୍ଟୁନ ଗଣେଶ ମୂର୍ତ୍ତି । ତେଣୁ ଉଚିତ ମୂଲ୍ୟରେ ଗଣେଶ ମୂର୍ତ୍ତିକୁ ବିକ୍ରିକରି ଭଲ ଦୁଇ ପଇସା ରୋଜଗାର କରିବା ଆଶା ନେଇ ମୂର୍ତ୍ତି କାରିଗରମାନେ ପ୍ରଭୁ ଗଣେଶଙ୍କୁ ଶେଷ ସ୍ପର୍ଶ ଦେବାରେ ଲାଗିଛନ୍ତି ।

ବିଘ୍ନ ବିନାଶକ ପ୍ରଭୁ ଗଣେଷଙ୍କ ପୂଜାକୁ ନେଇ ନୂଆପଡା ଜିଲ୍ଲା ବେଶ ଚଳଚଞ୍ଚଳ ହୋଇପଡିଛି । ମୂର୍ତ୍ତି କାରିଗରମାନେ ମଧ୍ୟ ମୂର୍ତ୍ତି ତିଆରି କାମରେ  ଲାଗି ପଡିଛନ୍ତି ।  ଚଳିତ ବର୍ଷ ଗଣେଶ ମୂର୍ତ୍ତିର ଦାମ ୧୦୦ ଟଙ୍କାରୁ ଆରମ୍ଭ କରି ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ବିଶେଷକରି କାର୍ଟୁନ ଗଣେଶ ମୂର୍ତ୍ତି ପ୍ରତି ଲୋକଙ୍କ ଚାହିଦା ରହିଛି । ଏଥିସହ ମହାରାଷ୍ଟ୍ର ପେଟେନ, ଲାଲବାଗ ରାଜା, ସିଦ୍ଧି ବିନାୟକ ଡିଜାଇନ, ତିରୁପତି, ସପ୍ତଫେଣି ସାପ ଉପରେ ଗଣେଶ, ଶିବ ତାଣ୍ଡବ ଉପରେ ବସିଛନ୍ତି ତ ଆଉ କେଉଁଠି ଶଙ୍ଖ ଉପରେ ବସିଛନ୍ତି ଗଣେଶ । ଗଣେଷ ପୂଜାର ୨ ମାସ ପୂର୍ବରୁ  ମୂର୍ତ୍ତି କାରିଗରମାନେ ମାଟି ଆଣି ମୂର୍ତ୍ତି କାମ ଆରମ୍ଭ କରନ୍ତି ।  ଚଳିତବର୍ଷ ନୂଆପଡା ଜିଲ୍ଲାରେ ଗଣେଶ ପୂଜା ବେଶ ଜମିବ ବୋଲି ଆଶା ବାନ୍ଧିଛନ୍ତି ସମସ୍ତେ । ଏହାକୁ ଦୃଷ୍ଟିରେ ରଖି ମୂର୍ତ୍ତି କାରିଗରମାନେ ବେଶ ଉତ୍ସାହିତ ଥିବାବେଳେ ଭଲ ଦୁଇପଇସା ରୋଜଗାର କରିବା ନେଇ ଆଶା ରଖିଛନ୍ତି ।

ନୂଆପଡା ଜିଲ୍ଲା ଖଡିଆଳ ସହର ସମେତ ନେହେନା, ବରଗାଁ, ଡୁଆଝର ଗାଁର ମୂର୍ତ୍ତି କାରିଗରମାନଙ୍କ ହାତ ତିଆରି ମୂର୍ତ୍ତି ଗୁଡିକର ଜିଲାରେ ବେଶ ଚାହିଦା ରହିଛି । ଏବର୍ଷ ଖଡିଆଳ ସହରରେ ମୂର୍ତ୍ତି କାରିଗରଙ୍କ ଦ୍ଵାରା ତିଆରି କାର୍ଟୁନ ଗଣେଶ ବେଶ ଆକର୍ଷଣୀୟ ହୋଇଥିବା ବେଳେ ଏହା ଲୋକଙ୍କ ପ୍ରଥମ ପସନ୍ଦ ହୋଇଛି । ମାଟିରେ ଗଣେଶ ମୂର୍ତ୍ତି ତିଆରି କରିବା କଷ୍ଟକର, ହେଲେ ବି କାରିଗରମାନେ ବେଶ୍‌‍ ଆଗ୍ରହର ସହ ତିଆରି କରିଥାନ୍ତି ମୂର୍ତ୍ତି ।

ଗଣେଶ ପୂଜା ଯେତେ ପାଖେଇ ଆସୁଛି ମୂର୍ତ୍ତି କାରିଗରଙ୍କ କାମ ମଧ୍ୟ ସେତିକି ବଢିବାରେ ଲାଗିଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ବିଭିନ୍ନ ସଂଗଠନ ଓ ଆୟୋଜକଙ୍କୁ ଅଗ୍ରୀମ ମୁତାବକ ସେମାନଙ୍କୁ ମୂର୍ତ୍ତି ହସ୍ତାନ୍ତର କରାଯିବା ନେଇ ଲକ୍ଷ୍ୟ ରହିଛି । ସେଥିପାଇଁ ତୂଳୀରେ ଶେଷ ସ୍ପର୍ଶ ଦେବା ପାଇଁ କାରିଗରମାନେ ଦିନରାତି ପରିଶ୍ରମ କରୁଛନ୍ତି ।

Leave a Reply

Your email address will not be published. Required fields are marked *