ଆଜିଠ ବିଧାନସଭା ଅଧିବେଶନ, ଅକ୍ଟୋବର ୪ ଯାଏଁ ଚାଲିବ ଗୃହକାର୍ଯ୍ୟ
ଆଜିଠୁ ବିଧାନସଭା ଅଧିବେଶନ ଆରମ୍ଭ ହେବ । ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ ଗୃହକାର୍ଯ୍ୟ । ପ୍ରଥମ ଦିନରେ ହିଁ ଆସିବ ୨୦୨୩-୨୪ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ । ଏହି ଅଧିବେଶନରେ ମାତ୍ର ୮ଟି କାର୍ଯ୍ୟ ଦିବସ ରହିଛି । ଏହି ସଂକ୍ଷିପ୍ତ ଅଧିବେଶନ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସରଗରମ ରହିବ ବୋଲି ଆକଳନ କରାଯାଉଛି ।
ନିର୍ବାଚନକୁ ଆଉ ବେଶି ସମୟ ନଥିବାବେଳେ ଉଭୟ ବିରୋଧୀ ଦଳ ସରକାରଙ୍କୁ ଜୋରଦାର ଆକ୍ରମଣ କରିବାକୁ ପ୍ରସଙ୍ଗ ସଜାଇ ରଖିଛନ୍ତି । ଅନ୍ୟପକ୍ଷରେ ବିରୋଧୀ ଦଳର ସବୁ ଆକ୍ରମଣକୁ ସାମ୍ନା କରିବା ସହ ପାଲଟା ଆକ୍ରମଣ ପାଇଁ ଶାସକ ଦଳ ମଧ୍ୟ ପ୍ରସ୍ତୁତି ଚଳାଇଛି । ଶୁକ୍ରବାର ସକାଳେ ବାଚସ୍ପତି ନିର୍ବାଚନ ପ୍ରକ୍ରିୟା ଓ ଶପଥ ଗ୍ରହଣ ହେବ । ଦିନ ୧୧ଟାରେ ଆରମ୍ଭ ହେବ ଅଧିବେଶନ କାର୍ଯ୍ୟ ।
ପ୍ରଥମେ ଦିବଂଗତ ସଦସ୍ୟ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିୟୋଗରେ ଗୃହରେ ଶୋକାଞ୍ଜଳି ଅର୍ପଣ କରାଯିବ । ଅପରାହ୍ନରେ ଅତିରିକ୍ତ ବଜେଟ ଆଗତ ହେବ ବୋଲି ଜଣାପଡ଼ିଛି । ଶୁକ୍ରବାର ସକାଳ ସାଢ଼େ ୧୦ଟାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜୁ ଜନତା ଦଳ ବିଧାୟକ ଦଳ ବୈଠକ ବସିବ । ଏଥିରେ ବିଧାନସଭା ପାଇଁ ରଣନୀତି ପ୍ରସ୍ତୁତ ହେବ ।
ଶୁକ୍ରବାର ଅଧିବେଶନର ପ୍ରଥମାର୍ଦ୍ଧ ପରେ ବିଜେପି ବିଧାୟକ ଦଳ ବୈଠକ ବସିବ । ସେହିପରି ସନ୍ଧ୍ୟାରେ କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ । ଶନିବାର ଓ ରବିବାର ଛୁଟି ଥିବାବେଳେ ସୋମବାରଠାରୁ ଗୃହ ସରଗରମ ରହିବ ବୋଲି ଅନୁମାନ କରାଯାଉଛି । ଅକ୍ଟୋବର ୩ ତାରିଖରେ ବ୍ୟୟମଞ୍ଜୁରି ବିଲ୍ ଆଗତ ହେବ । ୪ ତାରିଖରେ ଅଧିବେଶନ ସରିବ ।

