ବ୍ୟକ୍ତିତ୍ୱ

ଆଧ୍ୟାତ୍ମିକବାଦ ଓ ସେବା ମନୋବୃତ୍ତି ନଥିଲେ ଜଣେ ସଫଳ ଡାକ୍ତର ହୋଇପାରିବ ନାହିଁ : ଲାଏନ୍ସ ଡକ୍ଟର ବିଶ୍ୱନାଥ ପଟ୍ଟନାୟକ

Spread the love

ଭୁବନେଶ୍ୱର : ଡାକ୍ତରୀ ସେବା ଗୋଟେ ସାମାଜିକ ସେବା ବା ସମାଜର ସେବା | ଜଣେ ମନ ଭିତରୁ ସେବା ମନୋବୃତ୍ତି ରଖି ନପାରିଲେ ସଫଳ ଡାକ୍ତର ହୋଇ ପାରିବ ନାହିଁ | ସେବା କରିବାର ମାନସିକତା ନଆସିଲେ ରୋଗୀଟିଏ ସନ୍ତୋଷଜନକ ଚିକିତ୍ସା ପାଇପାରିବ ନାହିଁ | ଆଉ ଜଣେ ଡାକ୍ତର ଆଧ୍ୟାତ୍ମିକବାଦୀ ନହେଲେ ନିଜ ଚିକିତ୍ସା ଉପରେ ଆତ୍ମବିଶ୍ୱାସ ଆସିବା ମଧ୍ୟ କଷ୍ଟକର ହୋଇପଡେ | ଏକ ସଫଳ ଡାକ୍ତରୀ ଜୀବନ ସହ ସାମାଜିକ କାର୍ଯ୍ୟପ୍ରତି ଥିବ ଅହେତୁକ ଆଗ୍ରହ ଓ ନିଷ୍ଠା ତାଙ୍କୁ ଦେଇଛି ଏକ ନିଆରା ବ୍ୟକ୍ତିତ୍ୱର ପରିଚୟ | ସେମିତି ଜଣେ ଅମାୟିକ ବ୍ୟକ୍ତିତ୍ୱର ଅଧିକାରୀ ହେଲେ ଡ଼ ବିଶ୍ୱନାଥ | ଲାଏନ୍ସ ଡକ୍ଟର ବିଶ୍ୱନାଥ ପଟ୍ଟନାୟକ |

ନିଜ ଡାକ୍ତରୀ ଜୀବନର ଅୟଆରମ୍ଭ ବିଷୟରେ ସେ କୁହନ୍ତି, ମୁଁ ଯେତେବେଳେ ମାଟ୍ରିକ ପଢ଼ୁଥିଲି ସେତେବେଲେ ମନସ୍ତ କରିଥିଲି ମୁଁ ଗୋଟେ ଡାକ୍ତର ହେବି | କାରଣ ମୋ ମା ଯେତେବେଳେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ ମୁଁ ତାଙ୍କୁ ଦେଖିବା ପାଇଁ ଯାଉଥିଲି | ସେଠି ଦଳ ଦଳ ହୋଇ ନର୍ସ ଏବଂ ଡାକ୍ତର ମାନଙ୍କୁ ଦେଖି, ସେମାନଙ୍କର କାମ ଓ ତାଙ୍କ ପ୍ରତି ଲୋକଙ୍କ ଭଲପାଇବା ଦେଖି ଡାକ୍ତରଟିଏ ହେବାକୁ ମନ ଭିତରେ ସ୍ଥିର କରିଥିଲି | ମନକୁ ଆସିଥିଲା ଯଦି ମୁ ଗୋଟେ ଡକ୍ଟର ହୋଇ ପାରିବି ତେବେ ମୋ ମା ଆଜି ଯେଉଁଭଳି ଚିକିତ୍ସିତ ହେଉଛନ୍ତି ମୁଁ ଅନ୍ୟମାନଙ୍କୁ ବି ସେଭଳି ସେବା ଦେଇପାରିବି |
ପିଲାଟି ଦିନରୁ ମେଧାବୀ ଥିବା ବିଶ୍ୱନାଥ 1965 ମସିହାରେ ଏସ.ସି.ବି. ମେଡିକାଲ କଲେଜରେ ଏମ.ବି.ବି.ଏସ. ରେ ଜଏନ କରିଥିଲେ | ସଫଳତାର ସହ ଏମ.ବି.ବି.ଏସ. ପାସ କଲା ପରେ ସେତେବେଳେ ଡାକ୍ତରଙ୍କ ପାଇଁ ସରକାରୀ ଚାକିରୀ ନଥିବାରୁ ସେ ବି ବାହାରକୁ ଯାଇ ଚାକିରୀ କଲେ | କେନ୍ଦ୍ର ସରକାରଙ୍କ ସିଆରପିଏଫରେ ଡାକ୍ତର ହିସାବରେ ଯୋଗଦେଇଥିଲେ | ହେଲେ ବର୍ଷେ ପରେ ଓଡିଶା ସରକାରଙ୍କ ପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସରକାରୀ ଡାକ୍ତରଖାନାରେ ଆସିଷ୍ଟାଣ୍ଡ ସର୍ଜନ ଭାବେ ଯୋଗଦେଇଥିଲେ | ତିନି ବର୍ଷ କାମ କଲାପରେ ଏଣ୍ଟ୍ରାନ୍ସ ପାସ କରି ସର୍ଜରୀ ବିଭାଗରେ ପିଜି କରିବା ପରେ ଓଡ଼ିଶାର ବିଭିନ୍ନ ଜାଗାରେ ସରକାରୀ ଡାକ୍ତର ହିସାବରେ କାମ କରିଥିଲେ |
ଜଣେ ଅମାୟିକ ଦକ୍ଷତା ସମ୍ପନ୍ନ ନିଆରା ବ୍ୟକ୍ତିତ୍ୱ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା ବିଶ୍ୱନାଥ କୁହନ୍ତି, ସେ ନିଜେ ଯେତେବେଳେ କୌଣସି ରୋଗୀର ଚିକିତ୍ସା କଲାବେଳେ ଜଟିଳ ପରିସ୍ଥିତିର ସାମ୍ନା କରନ୍ତି ସେତେବେଳେ ଜଗନ୍ନାଥଙ୍କୁ ଡାକିଥାନ୍ତି | ରୋଗୀଟିକୁ ଜଗନ୍ନାଥଙ୍କୁ ସମର୍ପଣ କରିଦେଇ ତାର ଆରୋଗ୍ୟ କାମନା କରିଥାନ୍ତି | ଆଉ ସେ ରୋଗୀଟି ଆଶ୍ଚଯ୍ୟଜନକ ଭାବେ ଭଲ ହୋଇଯାଇଥାଏ | ସେଥିପାଇଁ ସେ ସବୁବେଳେ ଆଧ୍ୟାତ୍ମିକବାଦ ଉପରେ ବିଶ୍ୱାସ ରଖିଥାନ୍ତି ବୋଲି କୁହନ୍ତି |
ବର୍ତ୍ତମାନର ଅତ୍ୟାଧୁନିକ ଜୀବନଶୈଳୀକୁ ନେଇ ଡକ୍ଟର ବିଶ୍ୱନାଥ ବହୁତ ସ୍ପଷ୍ଟ ମତ ରଖନ୍ତି | ତାଙ୍କ ଅନୁସାରେ ଯେଉଁମାନେ ଅତ୍ୟାଧୁନିକ ଜୀବନଶୈଳୀରେ ସହଜରେ ବଞ୍ଚିପାରୁଛନ୍ତି କିମ୍ବା ଯେପର୍ଯ୍ୟନ୍ତ ସେମାନେ ନିଜର ସମାଜର କୌଣସି କ୍ଷତି କରୁନାହାନ୍ତି, ସେଇ ମାନସିକତାରେ ଖାପଖୁଆଇ ଚଳିପାରୁଛନ୍ତି ତେବେ ସେମାନଙ୍କୁ ସେମିତି ବଞ୍ଚିବାରେ କିଛି ଅସୁବିଧା ନାହିଁ | ଯେଉଁମାନେ ଏହାକୁ ଗ୍ରହଣ କରିପାରୁନାହାନ୍ତି ସେମାନେ ଏହାକୁ ପରିତ୍ୟାଗ କରିବା ଉଚିତ |
ଡ଼ ବିଶ୍ୱନାଥ ପଟନାୟକ ବହୁତ ସାମାଜିକ ସଂସ୍ଥା ସହ ଜଡିତ ଅଛନ୍ତି | ମେଡିକାଲ ଆସୋସିଏସନର ଲାଇଫ ମେମ୍ବର ରହିବା ସହ ନିଜେ ଏକ ସାମାଜିକ ଅନୁଷ୍ଠାନ ପରିଚାଳନା ମଧ୍ୟ କରନ୍ତି | ମହିଳା ସଶକ୍ତିକରଣ ଉପରେ ନିରନ୍ତର କାର୍ଯ୍ୟ କରିଆସୁଥିବା ବେଳେ ଗୋଟିଏ ନର୍ସିଂ ସ୍କୁଲ ଖୋଲି ମହିଳା ମାନଙ୍କୁ ଆତ୍ମନିର୍ଭର କରିବାରେ ବହୁତ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି | ବିଶ୍ୱନାଥ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ଟେକ୍ନୋଲୋଜି ନାମରେ ଏହି ନର୍ସିଂ ସ୍କୁଲରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଛାତ୍ରୀମାନେ ଶିକ୍ଷା ଲାଭକରିବା ସହ ପ୍ରାୟ 26 ବର୍ଷରୁ ଉର୍ଦ୍ଧ ସମୟ ଧରି ନିଜ ତତ୍ୱାବଧାନରେ ପରିଚାଳିତ ପଦ୍ମ ହସ୍ପିଟାଲରେ ସେହି ନର୍ସିଂ ଛାତ୍ରଛାତ୍ରୀଙ୍କୁ ଉଚ୍ଚମାନର ତାଲିମ ପ୍ରଦାନ କରି ବହୁ ପ୍ରତିଷ୍ଠିତ ମେଡିକାଲରେ ନିଯୁକ୍ତି ପାଇ ପାରୁଛନ୍ତି |
ଲାଏନ୍ସ କ୍ଳବ ସହ ଜଡିତ ହେବା ପରେ ଅନୁଷ୍ଠାନର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମର ସମ୍ପୂର୍ଣ ଦାୟିତ୍ୱ ତୁଲାଉଛନ୍ତି ଡ଼ ବିଶ୍ୱନାଥ | ପ୍ରାୟ ପ୍ରତ୍ୟେକ ମାସରେ ସ୍ୱାସ୍ଥ୍ୟ ଶିବିର ମାନ ଆୟୋଜନ କରି ଲୋକମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇଆସୁଛନ୍ତି | ତା ସହ ନିଜର ସାମାଜିକ ଅନୁଷ୍ଠାନ ଲୋକ ବିକାଶ ମାଧ୍ୟମରେ ଗାଁ ଗହଳିରେ ନିରନ୍ତର ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିବାରୁ ବହୁ ପ୍ରତିଷ୍ଠିତ ଅନୁଷ୍ଠାନ ତାଙ୍କୁ ସହଯୋଗ କରିବାକୁ ହାତ ବଢ଼ାଇଛନ୍ତି | ବର୍ତ୍ତମାନ ସୁଦ୍ଧା 450ରୁ ଉର୍ଦ୍ଧ ସ୍ୱାସ୍ଥ୍ୟ ଶିବିର ସଫଳତାର ସହ ଆୟୋଜନ କରିସାରିଲେଣି ସେ |
ବାପା ସ୍ବର୍ଗତଃ ଶହୀଦ ରଘୁ ସର୍ଦାରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜୀବନରେ ଆଗକୁ ବଢିଚାଲିଥିବା ଡ଼ ପଟ୍ଟନାୟକ ବାପାଙ୍କ ଜୀବନୀ ଉପରେ ଏକ ପୁସ୍ତକ ରଚନା କରିଛନ୍ତି | ବାପାଙ୍କ ଉପରେ କହିବା ବେଳେ ବେଶ ଭାବବିହ୍ୱଳ ହୋଇଉଠନ୍ତି ସେ | ବାପାଙ୍କ ସ୍ୱାଧୀନତା ସଂଗ୍ରାମରେ ଅବଦାନ ସହ ନିଜ ଜୀବନୀ ଉପରେ ମଧ୍ୟ ଖୁବ ସୁନ୍ଦର ଭାବରେ ଲେଖନୀ ଚାଲାଣ କରି ନିଜ ସାରସ୍ୱତ ଦକ୍ଷତାର ସ୍ଵାକ୍ଷର ମଧ୍ୟ ଛାଡି ସାରିଛନ୍ତି |

ସାକ୍ଷାତକାର : ମିଲନ କୁମାର ପ୍ରଧାନ

Leave a Reply

Your email address will not be published. Required fields are marked *