ସଂସଦ ସୁରକ୍ଷା ବ୍ୟବସ୍ଥା ସୁଧାରିବା ପାଇଁ ପରାମର୍ଶ ଦେବ କମିଟି
ସଂସଦରେ ସ୍ମୋକ୍ ଆଟାକ୍ ଘଟଣାର ତଦନ୍ତ ପାଇଁ ଗଠନ ହୋଇଛି ତଦନ୍ତ କମିଟି । ଲୋକସଭା ସେକ୍ରେଟାରିଏଟର ଅନୁରୋଧ କ୍ରମେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି କମିଟି ଗଠନ କରାଯାଇଛି । ସିଆରପିଏଫ୍ ଡିଜି ଅନୀଶ ଦୟାଲ ସିଂ ଏହାର ନେତୃତ୍ୱ ନେବେ ଏବଂ ଅନ୍ୟ ସୁରକ୍ଷା ଏଜେନ୍ସି ଓ ବିଶେଷଜ୍ଞ ଏଥିରେ ସାମିଲ ରହିବେ । ଏହି କମିଟି ପାର୍ଲାମେଣ୍ଟ ସୁରକ୍ଷା ତ୍ରୁଟିର କାରଣ ଖୋଜିବ, କେଉଁଠି ଭୁଲ୍ ରହିଲା ତାହା ନିର୍ଦ୍ଧାରଣ କରିବ ଏବଂ ସଂସଦର ସୁରକ୍ଷା ବ୍ୟବସ୍ଥା ସୁଧାରିବା ପାଇଁ ଆବଶ୍ୟକ ପଦକ୍ଷେପ ସଂପର୍କିତ ରିପୋର୍ଟ ଦେବ। …
ସେପଟେ ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଏହି ଘଟଣା ପରେ ସଂସଦର ସୁରକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ହୋଇଛି । ପ୍ରବେଶ ପଥରେ ଫୁଲ୍ ବଡି ସ୍କାନର ଲାଗିବ ଏବଂ ସୁରକ୍ଷା ପ୍ରଟୋକଲ ସଂଶୋଧନ କରାଯିବ । ସାଂସଦ, ଷ୍ଟାଫ୍ ଓ ସାମ୍ବାଦିକଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରବେଶ ପଥ ରହିବ । ଯେତେବେଳେ ଭିଜିଟର୍ସ ପାସ୍ ଉପରୁ ବ୍ୟାନ ହଟିବ, ସେତେବେଳେ ଦର୍ଶକମାନେ ଚତୁର୍ଥ ଗେଟ୍ ଦେଇ ପଶିବେ । ଭିଜିଟର୍ସ ଗ୍ୟାଲେରି ଆଗରେ କାଚ ଲାଗିବ, ଯେପରି କେହି ସାଂସଦମାନଙ୍କ ନିକଟକୁ ଯାଇପାରିବେ ନାହିଁ । ଏଥିସହ ହାଉସ୍ ଭିତରେ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବଢ଼ିବ।
ସେପଟେ ସଂସଦରେ ସ୍ମୋକ୍ ଆଟାକ୍ ଘଟଣାରେ ବଡ଼ ଖୁଲାସା ହୋଇଛି । ଘଟଣାରେ ୪ ଜଣ ନୁହେଁ, ୬ ଜଣଙ୍କର ରହିଛି ସଂପୃକ୍ତି । ସେମାନଙ୍କ ମଧ୍ୟରୁ ୫ ଜଣ ଗିରଫ ହୋଇଥିବା ବେଳେ, ଆଉ ଜଣେ ଫେରାର୍ ଥିବା ସୂଚନା ମିଳିଛି । ୬ ଅଭିଯୁକ୍ତ ହେଲେ ଲୋକସଭାରେ ପଶିଥିବା ସାଗର ଶର୍ମା ଓ ଡି. ମନୋରଞ୍ଜନ, ସଂସଦ ଭବନ ବାହାରେ ସ୍ମୋକ୍ କ୍ୟାନ୍ ଫୁଟାଇଥିବା ନୀଲମ ଦେବୀ ଓ ଅମୋଲ ସିନ୍ଦେ, ସେମାନଙ୍କ ସହଯୋଗୀ ଭିକି ଶର୍ମା ଏବଂ ଏହି ୫ ଜଣ ରହୁଥିବା ଘରର ମାଲିକ ଲଳିତ ଝା ।
ଜାତୀୟ ଗଣମାଧ୍ୟମର ଖବର ଅନୁସାରେ, ସୋସିଆଲ ମିଡିଆରେ ବନ୍ଧୁତ୍ୱ ପରେ ୬ ଜଣ ଯାକ ୪ ବର୍ଷ ହେଲା ପରସ୍ପରକୁ ଜାଣିଥିଲେ । ସେମାନେ ଗୁରଗାଓଁର ଗୋଟିଏ ଘରେ ରହି ଗତ ୩ ମାସ ହେଲା ଏହାର ପ୍ଲାନିଂ କରୁଥିଲେ । ୬ ଜଣ ଯାକ ସଂସଦ ଭବନ ଭିତରକୁ ଯିବାକୁ ଚାହୁଁଥିଲେ । ହେଲେ ୨ ଜଣଙ୍କୁ ପାସ୍ ମିଳିଥିଲା । ତେବେ କୌଣସି ଆତଙ୍କୀ ସଂଗଠନ ସହ ସେମାନଙ୍କ ସଂପୃକ୍ତି ନେଇ କୌଣସି ପ୍ରମାଣ ମିଳିନଥିବା ପୋଲିସ କହିଛି ।…
ଅନ୍ୟ ଅଭିଯୁକ୍ତ ସାଗର ଶର୍ମାଙ୍କୁ ଭିଜିଟର୍ସ ପାସ୍ ଦେଇଥିବା ମହିଶୂର୍ ସାଂସଦ ପ୍ରତାପ ସିହ୍ମା ବାଚସ୍ପତି ଓମ୍ ବିର୍ଲାଙ୍କୁ ଭେଟିଛନ୍ତି । ସାଗରଙ୍କ ବାପା ତାଙ୍କ ନିର୍ବାଚନମଣ୍ଡଳୀ ବାସିନ୍ଦା ଏବଂ ତାଙ୍କ ଅନୁରୋଧ କ୍ରମେ ସେ ସାଗରଙ୍କୁ ପାସ୍ ଦେଇଥିଲେ ବୋଲି କହିଛନ୍ତି ।…

