ଆଞ୍ଚଳିକ

ଦାରିଦ୍ର୍ୟ ଓ ଅସହାୟତାର କରୁଣ ଚିତ୍ର : ୯ ବର୍ଷର ସମ୍ପର୍କ ତୁଟାଇ ସରକାର ହାତରେ ନାତୁଣୀଙ୍କୁ ଟେକିଦେଲେ ୭୭ ବର୍ଷୀୟା ଜେଜେବାପା

Spread the love

ଜେଜେବାପା ନିଜ ନାତୁଣୀଙ୍କୁ ଇଚ୍ଛା ନଥିଲେ ବି ସରକାରଙ୍କ ହାତକୁ ଟେକି ଦେଇଛନ୍ତି। ନିଜ ଦାରିଦ୍ର୍ୟ ଓ ଅସହାୟତା ଭିତରେ ନାତୁଣୀର ଭବିଷ୍ୟତ ପାଇଁ ସେ ଆଜି ଲାଳନପାଳନ କରି ଆସିଥିବା ନାତୁଣୀକୁ ନିଜଠାରୁ ଅଲଗା କରିବାକୁ ପଛାଇ ନାହାନ୍ତି।

ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ଶାଖାଡୁଙ୍ଗୁରି ଗାଁର ଏଭଳି ଏକ ଘଟଣା

ଗାଁର ମୁକୁନ୍ଦ ବନଛୋର(୭୭)। ମୁକୁନ୍ଦ ନିଜେ ଠିକ୍‌ରେ ଚାଲିବୁଲି ପାରୁ ନାହାନ୍ତି। ୭୩ ବର୍ଷୀୟା ପତ୍ନୀ ଓ ୯ ବର୍ଷୀୟା ନାତୁଣୀଙ୍କୁ ନେଇ ରହୁଥିଲେ। ମୁକୁନ୍ଦଙ୍କ କହିବାନୁସାରେ, ତାଙ୍କ ପୁଅ ଦିବାକର ବନଛୋର ଗତ ୨୦୧୬ ମସିହାରେ ପାଇକମାଳଠାରେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।

ଦିବାକରଙ୍କ ପତ୍ନୀ ମାନସିକ ଅନଗ୍ରସର ଥିବାରୁ ଗାଁରେ ନାହାନ୍ତି। ଏଣୁ ଜେଜେବାପା, ଜେଜେମା’ ସହ ନାତୁଣୀ ରହିଥିଲା। ନାତୁଣୀଙ୍କୁ ୧୦ ମାସରୁ ଏତେଦିନ ଧରି ଲାଳନପାଳନ କରୁଥିଲେ। ମୁକୁନ୍ଦ ନିଜେ ପୂର୍ବରୁ କୁଲିମଜୁରି କରି ପାରୁଥିଲେ। ନିଜ ସ୍ପଳ୍ପ ରୋଜଗାର ସହ ଭତ୍ତା ଓ ରାସନକାର୍ଡ ଖଣ୍ଡିକ ସାହାରା ହୋଇଥିଲା। ଛୋଟ ନାତୁଣୀ ଓ ପକ୍ଷାଘାତ ରୋଗରେ ପୀଡ଼ିତ ୭୩ ବର୍ଷୀୟା ପତ୍ନୀଙ୍କ ପେଟ ସେଥିରେ ଭରୁଥିଲା। ହେଲେ ଏବେ ବୟସ ବଢ଼ିଗଲାଣି। ଭତ୍ତା ଟିକିଏରେ କେମିତି ନାତୁଣୀର ପାଠପଢ଼ା ହେବ? ସେମାନଙ୍କ ମୃତ୍ୟୁପରେ କିଏ ନାତୁଣୀଙ୍କ ଯତ୍ନ ନେବ? ଏ କଥା ଗାଁ ଲୋକ ସବୁବେଳେ କହୁଥିଲେ। ଏଣୁ ଇଚ୍ଛା ନଥିଲେ ବି ସେ ନାତୁଣୀକୁ ଜିଲ୍ଲା ପ୍ରଶାସନ ପାଖରେ ଜିମା ଦେଇଥିବା କହିଛନ୍ତି। ଆଜି ନାତୁଣୀକୁ ସିଡ୍‌ବ୍ଲୁସିରେ ହାଜର କରାଇବାପରେ ପାଇକମାଳ ପାର୍ବତୀ ଗିରି ଆଶ୍ରମକୁ ପଠାଯାଇଛି। ଆଉ ଦୁଇମାସ ପାଇଁ ଦେଖା କରିବାକୁ ଜେଜେବାପାଙ୍କୁ ସୁଯୋଗ ମିଳିବ। ତା’ପରେ ଆଉ ନାହିଁ।

Leave a Reply

Your email address will not be published. Required fields are marked *