ପ୍ୟାରିସ୍ ପାରାଲିମ୍ପିକ୍ସ: ତୀରନ୍ଦାଜୀରେ ଶୀତଲଙ୍କ ଚମକ !

ପ୍ୟାରିସ୍, :ଦୁଇ ହାତ ନଥାଇ ମଧ୍ୟ ସେ ନିଜ ଗୋଡ଼ରେ ତୀର ଚଳାଇ ସମସ୍ତଙ୍କ ମନ ଜିଣି ନେଇଥିଲେ ।ପ୍ୟାରିସ୍ ପାରାଲିମ୍ପିକ୍ସର ପ୍ରଥମ ଦିବସରେ ଭାରତର ମହିଳା ତୀରନ୍ଦାଜ ଶୀତଲ ଦେବୀଙ୍କ ପ୍ରଦର୍ଶନ ମୁଖ୍ୟ ଆକର୍ଷଣ ରହିଥିଲା । ମହିଳା ବ୍ୟକ୍ତିଗତ କମ୍ପାଉଣ୍ଡ୍ ଯୋଗ୍ୟତା ରାଉଣ୍ଡ୍ରେ ସେ ମୋଟ ୭୦୩ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହି ସିଧାସଳଖ ରାଉଣ୍ଡ୍-୧୬ରେ ପ୍ରବେଶ କରିଛନ୍ତି । ଏହା ତାଙ୍କ କ୍ୟାରିୟରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା । ଶୀତଲ ବ୍ରିଟେନର ଫୋଏବ ପାଇନ ପାଟରସନ (୬୯୮) ଙ୍କ ନାମରେ ଥିବା ପୂର୍ବ ବିଶ୍ୱ ରେକର୍ଡ଼ ସ୍କୋରକୁ ଅତିକ୍ରମ କରିଥିଲେ । ମାତ୍ର ତୁର୍କୀର ଓଜନୁର ଗିରଡି କ୍ୟୁର ମୋଟ ୭୦୪ ପଏଣ୍ଟ ସହ ନୂଆ ବିଶ୍ୱ ରେକର୍ଡ଼ ସ୍ଥାପନ କରିଛନ୍ତି । ଶୀତଲ ମାତ୍ର ୧ପଏଣ୍ଟ ପାଇଁ ବିଶ୍ୱ ରେକର୍ଡ଼ରୁ ବଞ୍ଚିତ ହୋଇଥିଲେ । ଅନ୍ୟ ଭାରତୀୟ ପ୍ରତିଯୋଗୀ ସରିତା ମୋଟ ୬୮୨ପଏଣ୍ଟ ସହ ନବମ ସ୍ଥାନରେ ରହିଥିଲେ ।
ର୍ୟାଙ୍କିଙ୍ଗ୍ ରାଉଣ୍ଡ୍ରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ତୀରନ୍ଦାଜଙ୍କୁ ପ୍ରଥମ ରାଉଣ୍ଡ୍ ବାଇ ମିଳିଛି । ଫଳରେ ଶୀତଲ ସିଧାସଳଖ ରାଉଣ୍ଡ୍-୧୬ରେ ପହଞ୍ଚିଛନ୍ତି । ସେ ଆସନ୍ତା ଶନିବାର ଚିଲିର ମାରିଆନା ଜୁନିଗା ଓ କୋରିଆର ଚୋଇ ନା ମି’ଙ୍କ ମଧ୍ୟରେ ମ୍ୟାଚ୍ ବିଜେତାଙ୍କୁ ଭେଟିବେ । ଜୁନିକା ଗତ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ । ଅଲିମ୍ପିକ୍ସରେ ପଦାର୍ପଣ କରିଥିବା ଶୀତଲ ଭାରତର ପ୍ରମୁଖ ପଦକ ଦାବିଦାର ରହିଛନ୍ତି । ସେ ଗତ ଏସୀୟ ପାରା କ୍ରୀଡ଼ାରେ ପ୍ରଥମ ଭାରତୀୟ ମହିଳା ତୀରନ୍ଦାଜ ଭାବେ ଡବଲ୍ ସ୍ୱର୍ଣ୍ଣ (ମହିଳା ବ୍ୟକ୍ତିଗତ କମ୍ପାଉଣ୍ଡ, ମିକ୍ସଡ୍ ଟିମ୍) ପଦକ ଜିତି ଇତିହାସ ରଚିଥିଲେ । ସେହିପରି ମହିଳା ଡବଲ୍ସରେ ମଧ୍ୟ ରୌପ୍ୟ ପଦକ ହାସଲ କରିଥିଲେ ।
