ରାଜ୍ୟ

୮ ମାସରେ ଠକିନେଲେଣି ୧୦୦ କୋଟି !ଅଦୃଶ୍ୟ ସାଇବର୍‌ ଠକଙ୍କ ମାୟାଜାଲ

Spread the love

କୋଟିପତି ହେବା ନିଶାରେ ବାୟା ହୋଇ ଅନ୍‌ଲାଇନ୍‌ରେ ପୁଞ୍ଜି ନିବେଶ କରି ଅନେକ ବ୍ୟକ୍ତି ସାଇବର ଠକଙ୍କ ହାବୁଡ଼ରେ ପଡୁଛନ୍ତି । ଅନ୍‌ଲାଇନ୍‌ରେ ଟଙ୍କା ବିନିଯୋଗ କରି ରାତାରାତି ଦୁଇ, ଚାରି ଗୁଣା ଲାଭ ପାଇବା ଲୋଭରେ ନିବେଶକାରୀମାନେ ସାଇବର ଠକେଇର ଶିକାର ହେଉଛନ୍ତି । ଏହି ଅଦୃଶ୍ୟ ଠକଙ୍କ ଜାଲ୍‌ ନିବେଶ ଜାଲରେ କୋଟିପତି ନିବେଶକାରୀମାନେ ହିଁ ଅଧିକରୁ ଅଧିକ ଫସୁଛନ୍ତି । ସାଇବର ଠକମାନେ ଜାଲିଆତି କରି ଚଳିତ ବର୍ଷ ଜାନୁଆରୀରୁ ଅଗଷ୍ଟ ୩୦ ମଧ୍ୟରେ ରାଜ୍ୟର ବିଭିନ୍ନ କୋଣରୁ ନିବେଶକାରୀଙ୍କ ଆକାଉଣ୍ଟ୍‌ରୁ ଶହେ କୋଟିରୁ ଅଧିକ ଟଙ୍କା ଲୁଟି ନେଇଥିବା କ୍ରାଇମବ୍ରାଞ୍ଚ ସୂତ୍ରରୁ ସୂଚନା ମିଳିଛି । ଠକେଇ ହୋଇଥିବା ଏହି ଶହେ କୋଟି ଟଙ୍କାରୁ ଚଳିତ ବର୍ଷ କ୍ରାଇମବ୍ରାଞ୍ଚରେ ରୁଜୁ ହୋଇଥିବା ୫୧ଟି ସାଇବର ଠକେଇ ମାମଲାରେ ୫୫ କୋଟି ଟଙ୍କା ଥିବା ସୂଚନା ମିଳିଛି ।ବାକି ପ୍ରାୟ ୫୦ କୋଟି ଟଙ୍କା ରାଜ୍ୟର ଅନ୍ୟ ସାଇବର ଥାନା ଓ ଜିଲ୍ଲା ସ୍ତରରେ ରୁଜୁ ହୋଇଥିବା ମାମଲାରେ ରହିଛି । କ୍ରାଇମବ୍ରାଞ୍ଚରେ ରୁଜୁ ସାଇବର ମାମଲା ମଧ୍ୟରୁ ଅଧିକାଂଶ ଏତଲାକାରୀ କୋଟିପତି ବୋଲି ଜଣାଯାଇଛି । ନିକଟରେ ଇଣ୍ଡିଆନ୍‌ ଅଏଲ୍‌ର ଜଣେ ବରିଷ୍ଠ ଅଧିକାରୀ ୧ କୋଟି ୨୦ ଲକ୍ଷ ଟଙ୍କା ଠକେଇର ଶିକାର ହୋଇ କ୍ରାଇମବ୍ରାଞ୍ଚରେ ଏତଲା ଦେଇଥିଲେ । ଚର୍ଚ୍ଚିତ ମାମଲା ମଧ୍ୟରେ ଦେଢ଼ ମାସ ତଳେ ଭୁବନେଶ୍ୱରରେ ରହୁଥିବା ଜଣେ ଓଡ଼ିଆ ଫିଲ୍ମ ପ୍ରଯୋଜକ ପାଖାପାଖି ୨ କୋଟି ଟଙ୍କା ଠକାମିର ଶିକାର ହୋଇଛନ୍ତି ।କୋଟିଏରୁ ଅଧିକ ଟଙ୍କା ଠକେଇରେ ଶିକାର ହୋଇଥିବା ଏତଲାକାରୀଙ୍କ ମଧ୍ୟରେ ରିୟଲ ଇଷ୍ଟେଟ୍‌ ମାଲିକଙ୍କଠାରୁ ଆରମ୍ଭ କରି କୁବେର ବ୍ୟବସାୟୀମାନେ ଥିବା ସୂଚନା ମିଳିଛି । ସେହିପରି ଓଡ଼ିଶା ମାଇନିଂକର୍ପୋରେସନ୍‌ର ଜଣେ ବରିଷ୍ଠ ଅଧିକାରୀ ଅଢ଼େଇ କୋଟିରୁ ଅଧିକ ଟଙ୍କା ଠକେଇର ଶିକାର ହୋଇ କ୍ରାଇମବ୍ରାଞ୍ଚରେ ଏତଲା ଦେଇଥିଲେ । ଏକ ବିବାଦୀୟ ସ୍ଥିତିରେ ଉକ୍ତ ମାମଲା ପରେ ଅର୍ଥନୈତିକ ଅପରାଧ ଶାଖାକୁ ସ୍ଥାନାନ୍ତରିତ ହୋଇଥିଲା ।

ସାଇବର ଅପରାଧ ହାର ଦିନକୁ ଦିନ ବଢ଼ିବାରେ ଲାଗିଛି । ୨୦୨୨ରେ ରାଜ୍ୟରେ ୧୯୮୩ଟି ସାଇବର ଅପରାଧ ସଂକ୍ରାନ୍ତ ମାମଲା ରୁଜୁ ହୋଇଥିବା ବେଳେ ୨୦୨୩ରେ ୨୩୪୮ ମାମଲା ରୁଜୁ ହୋଇଥିଲା । ୨୦୨୪ରେ ଜାନୁଆରୀରୁ ଅଗଷ୍ଟ ସୁଦ୍ଧା ୧୪ଶହରୁ ଅଧିକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । କ୍ରାଇମବ୍ରାଞ୍ଚ ସାଇବର ଥାନାରେ ମଧ୍ୟ ମାମଲା ସଂଖ୍ୟା ବଢ଼ିଛି । ଗତବର୍ଷ କ୍ରାଇମବ୍ରାଞ୍ଚରେ ୩୬ଟି ସାଇବର ମାମଲା ରୁଜୁ ହୋଇଥିବା ବେଳେ ଗତ ୮ମାସ ମଧ୍ୟରେ ମାମଲା ସଂଖ୍ୟା ୫୫ ହେଲାଣି ।ବର୍ଷ ସରିବାକୁ ଆହୁରି ୪ ମାସ ବାକି ଥିବାରୁ କ୍ରାଇମବ୍ରାଞ୍ଚ ସାଇବର ଥାନା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମାମଲା ସଂଖ୍ୟା ଆହୁରି ବଢ଼ିବ ବୋଲି ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି । ସାଇବର ଅପରାଧୀମାନେ ବିଭିନ୍ନ ସୋସିଆଲ ମିଡିଆରେ ସକ୍ରିୟ ରହିଛନ୍ତି । ବିଶେଷ କରି ହ୍ୱାଟସ୍‌ଆପ୍‌ ଗ୍ରୁପରେ ଲୋକଙ୍କୁ ଯୋଡ଼ୁଛନ୍ତି । ସେୟାର ମାର୍କେଟ୍‌, କ୍ରିପ୍‌ଟୋ ଓ ଟ୍ରେଡିଙ୍ଗ୍‌ ଆପ୍‌ରେ ଅନ୍‌ଲାଇନ୍‌ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ଅର୍ଥ ବିନିଯୋଗ କଲେ ଦୁଇ ଗୁଣା ଅର୍ଥ ପାଇବା ଲୋଭ ଦେଖାଇ ହ୍ୱାଟସ୍‌ ଆପ୍‌ ଗ୍ରୁପ୍‌ରେ ବିଭିନ୍ନ ଲୋଭନୀୟ ମେସେଜ୍‌ ଦେଉଛନ୍ତି । ମସେଜ୍‌ ପଢ଼ିବା ପରେ ଯେଉଁମାନେ ରାତିରାତି ବହୁ କୋଟି ଟଙ୍କା କମାଇବା ନିଶାରେ ପଡ଼ୁଛନ୍ତି ସେମାନଙ୍କୁ ସାଇବର ଠକମାନେ ଚକ୍‌ମା ଦେଉଛନ୍ତି । ସହଜ ଉପାୟରେ ଏବଂ ବିନା ପରିଶ୍ରମରେ କୋଟି କୋଟି କମାଇବା ନିଶାରେ ନିବେଶକାରୀଙ୍କ ଆକାଉଣ୍ଟ୍‌ରୁ ଜମା ଅର୍ଥ ସଫା ହୋଇସାରିବା ପରେ ସେମାନେ ଜାଲିଆତିରେ ଶିକାର ହୋଇଥିବା ଜାଣିବାକୁ ପାଉଛନ୍ତି ।ପାଖକୁ ଆଉ ଟଙ୍କା ଫେରିପାଇବାର କୌଣସି ସୁଯୋଗ ନଥିବାରୁ ଉପାୟଶୂନ୍ୟ ହୋଇ କୋଟିପତି ନିବେଶକାରୀମାନେ କଟକସ୍ଥିତ କ୍ରାଇମବ୍ରାଞ୍ଚ ସାଇବର ଥାନାରେ ଏତଲା ଦେଉଥିବା ବେଳେ ୨୦/୩୦ ଲକ୍ଷ ଟଙ୍କା କିମ୍ବା ଏହାଠାରୁ କମ୍‌ ଟଙ୍କା ଠକାମିରେ ଶିକାର ନିବେଶକାରୀମାନେ ରାଜ୍ୟର ଅନ୍ୟାନ୍ୟ ସାଇବର ଥାନା ଓ ନିଜ ଅଞ୍ଚଳର ଥାନାରେ ଏତଲା ଦେଉଥିବାର ସୂଚନା ମିଳିଛି । କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସାଇବର ଠକେଇ ସମ୍ପର୍କରେ ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ଓ ଗଣମାଧ୍ୟମରେ ଜନସଚେତନା କରାଯାଉଛି । ତଥାପି ଲୋକେ ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି ।ଫସୁଛନ୍ତି ଅଧିକ ଡାକ୍ତର କୋଟିଏରୁ ଅଧିକ ଟଙ୍କା ସାଇବର ଠକେଇ ହୋଇଥିବା ବେଳେ ଏଥିରେ ଡାକ୍ତରମାନେ ଅଧିକ ଫସିଛନ୍ତି । ନିକଟରେ କ୍ରାଇମବ୍ରାଞ୍ଚରେ ରୁଜୁ ହୋଇଥିବା ଚର୍ଚ୍ଚିତ ମାମଲା ମଧ୍ୟରେ ଭୁବନେଶ୍ୱରସ୍ଥିତ ଶଙ୍କର ବାଗ୍‌ଚୀ କ୍ୟାନ୍‌ସର ହସ୍ପିଟାଲର ଜଣେ ଡାକ୍ତରଙ୍କ ଦେଢ଼ କୋଟି ଟଙ୍କା ସାଇବର ଠକେଇ ଘଟଣା ରହିଛି ।

ସେହିପରି ଭୁବନେଶ୍ୱରରେ ଆଉ ଜଣେ ଡାକ୍ତର ୧ କୋଟି ୨୦ ଲକ୍ଷରୁ ଅଧିକ ଟଙ୍କା ଠକେଇର ଶିକାର ହୋଇଥିବାର କ୍ରାଇମବ୍ରାଞ୍ଚ ଏବେ ମାମଲା ଦାଏର ହୋଇଛି । ସମ୍ପୃକ୍ତ ଡାକ୍ତର ଜଣକ ଗତମାସରେ ମଧ୍ୟ ୭୫ ଲକ୍ଷ ଟଙ୍କା ସାଇବର ଠକେଇର ଶିକାର ହୋଇ ଭୁବନେଶ୍ୱର କମିସନରେଟ୍‌ ସାଇବର ଥାନାରେ ଏତଲା ଦେଇଥିଲେ । ମାସକ ମଧ୍ୟରେ ଜଣେ ଡାକ୍ତର ଦୁଇ ଥର ସାଇବର ଠକେଇରେ ଶିକାର ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏହା ତାଙ୍କ ଖାମଖିଆଲି ନାଁ ସହଜରେ କୋଟିପତି ହେବା ନିଶା ତାହାକୁ ନେଇ ଜଣେ ପୁଲିସ୍‌ ଅଧିକାରୀ ସମ୍ପୃକ୍ତ ଡାକ୍ତରଙ୍କୁ ପ୍ରଶ୍ନ କରିଥିଲେ । କଟକର ଏକ ପ୍ରମୁଖ ଘରୋଇ ଚକ୍ଷୁ ଚିକିତ୍ସା କେନ୍ଦ୍ରର ଡାକ୍ତର ଦେଢ଼ କୋଟିରୁ ଅଧିକ ଟଙ୍କା ଠକେଇର ଶିକାର ହୋଇଥିବା ମାମଲା ରହିଛି । ସେହିପରି କଟକର ଆଉ ୪ ଜଣ ଡାକ୍ତର ମଧ୍ୟ ବହୁ କୋଟି ଟଙ୍କା ଠକେଇର ଶିକାର ହୋଇଥିବାର ମାମଲା ରୁଜୁ ହୋଇଛି।ଏ ବର୍ଷର ସବୁଠୁ ବଡ଼ ସାଇବର ଠକେଇ ଦେଶର ଏକ ପ୍ରମୁଖ ରାଷ୍ଟ୍ରାୟତ୍ତ ସଂସ୍ଥାରେ ମ୍ୟାନେଜର ଭାବେ ଚାକିରି କରିଛନ୍ତି । ମୋଟା ଅଙ୍କର ଦରମା ବି ପାଉଛନ୍ତି । ତଥାପି ମନରେ ଲୋଭ ରହିଛି ଆହୁରି ଧନୀ ହେବା ପାଇଁ । ରାତିରାତି ବହୁ କୋଟି ଟଙ୍କା କମାଇବା ନିଶା ଘାରିଥିବା ରାଷ୍ଟ୍ରାୟତ୍ତ କମ୍ପାନିର ମ୍ୟାନେଜର୍‌ ୬ କୋଟିରୁ ଅଧିକ ଟଙ୍କା ସାଇବର ଠକେଇର ଶିକାର ହୋଇଛନ୍ତି । ଆକାଉଣ୍ଟ୍‌ରୁ ୬ କୋଟି ୨୦ ଲକ୍ଷ ଟଙ୍କା ଉଭାନ ହୋଇଯିବା ପରେ ସମ୍ପୃକ୍ତ ମ୍ୟାନେଜର କ୍ରାଇମବ୍ରାଞ୍ଚର ସାଇବର ଥାନାରେ ଏତଲା ଦେଇଛନ୍ତି । ସାଇବର ଥାନା ପକ୍ଷରୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରଖିଥିଲେ ମଧ୍ୟ ସମ୍ପୃକ୍ତ ସାଇବର ଠକଙ୍କ ସମ୍ପର୍କରେ ସୂଚନା ମିଳିପାରିନାହିଁ । ଏହା ଏକ ହାଇପ୍ରୋଫାଇଲ୍‌ ମାମଲା ହୋଇଥିବାରୁ ମାମଲାକୁ ଗୁରୁତ୍ୱର ସହ ସାଇବର ଥାନା ଅନୁଧ୍ୟାନ କରୁଛି । ଠକମାନେ ୬ କୋଟି ଟଙ୍କାକୁ ଏକାଧିକ ବ୍ୟାଙ୍କ ଆକାଉଣ୍ଟ୍‌ ଜରିଆରେ ଟ୍ରାନ୍ସଫର କରିନେଇଥିବାରୁ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ତାହାକୁ ଅନୁଧ୍ୟାନ କରିବା ସହ ବିଭିନ୍ନ ବ୍ୟାଙ୍କ୍‌ରୁ ଉକ୍ତ ଆର୍ଥିକ କାରବାର ସଂକ୍ରାନ୍ତୀୟ ତଥ୍ୟ ମଗାଇଛି । ଚଳିତ ବର୍ଷ କ୍ରାଇମବ୍ରାଞ୍ଚ ସାଇବର ଥାନାରେ ରୁଜୁ ସାଇବର ଅପରାଧ ମାମଲା ମଧ୍ୟରେ ଏହା ସର୍ବାଧିକ ଠକେଇ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *