ଜୀବନ ନେଉଛି ସ୍କ୍ରବ୍ ଟାଇଫସ୍
ଯଦି ଅଧିକ ଦିନ ଜ୍ବର ରହୁଛି, ତେବେ ଆପଣଙ୍କୁ ହୋଇପାରେ ସ୍କ୍ରବ୍ ଟାଇଫସ୍ । ଜାଣନ୍ତୁ ଏହାର ଚିକିତ୍ସା ଓ କେମିତି ହୋଇଥାଏ ଏହି ରୋଗ |
ଏବେ ଘରେ ଘରେ ଜ୍ବର ଓ ଥଣ୍ଡା, କାଶ । ଅନେକ କ୍ଷେତ୍ରରେ ଚିହ୍ନଟ ହେଉଛି ଡେଙ୍ଗୁ ଜ୍ବର । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଅଧିକ ଦିନ ଜ୍ବର ରହିଲେ, ଆଉ ଏକ ରୋଗର ମଧ୍ୟ ଆଶଙ୍କା ରହିଥାଏ । ତାହା ହେଲା ସ୍କ୍ରବ୍ ଟାଇଫସ୍ । ବରଗଡ଼, କେନ୍ଦୁଝର, ସୁନ୍ଦରଗଡ଼ ଓ ନବରଙ୍ଗପୁର ଜିଲ୍ଲାରେ ଏହି ସ୍କ୍ରବ୍ ଟାଇଫସ୍ ରୋଗ ବ୍ୟାପିବାରେ ଲାଗିଛି । ଏକ ଛୋଟିଆ କୀଟ କାମୁଡ଼ିଲେ ହେଉଛି ଏହି ରୋଗ । ଏଥିରେ ମୃତ୍ୟୁ ଆଶଙ୍କା ମଧ୍ୟ ରହିଛି । । ତେଣୁ ଏହି ରୋଗକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ |
ମ୍ୟାଲେରିଆ, ଡେଙ୍ଗୁ ପରେ ଏବେ ରାଜ୍ୟର ଚିନ୍ତା ବଢ଼ାଇଛି ସ୍କ୍ରବ୍ ଟାଇଫସ୍। ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମୌସୁମୀ ଋତୁରେ ସ୍କ୍ରବ୍ ଟାଇଫସ୍ ଡରାଇବାକୁ ଆରମ୍ଭ କଲାଣି। ବର୍ତ୍ତମାନ ସୁଦ୍ଧା ବରଗଡ଼, ଜଗତସିଂହପୁର, ମୟୂରଭଞ୍ଜ ଭଳି ଜିଲ୍ଲାରେ ବହୁ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ଏକାଧିକ ମୃତ୍ୟୁ ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି। ଗତବର୍ଷ ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ବ୍ୟାପିବା ପରେ ଏକ କେନ୍ଦ୍ରୀୟ ଦଳ ଓଡ଼ିଶା ପରିଦର୍ଶନ କରିଥିଲେ। ଏହି ଦଳ ରାଜ୍ୟର ୩ଟି ଜିଲ୍ଲାକୁ ଗସ୍ତ କରି ଯେଉଁ ପ୍ରାଥମିକ ରିପୋର୍ଟ ଦେଇଥିଲେ ତାହା ବେଶ୍ ଚିନ୍ତାଜନକ ରହିଥିଲା। ବାହାରେ ମଳତ୍ୟାଗ, ଘାସରେ ଶୋଇବା ଓ ବସିବା, ଖାଲି ପାଦରେ ଯିବା ଆସିବା ଆଦି ସ୍କ୍ରବ୍ ଟାଇଫସ୍ ସଂକ୍ରମଣ ପଛର ବଡ଼ କାରଣ ବୋଲି ଦର୍ଶାଇଥିଲା କେନ୍ଦ୍ରୀୟ ଟିମ୍। ଏହାସହ ମୌସୁମୀ ଋତୁ ପୂର୍ବରୁ ବ୍ୟାପକ ଜନସଚେତନତା ସୃଷ୍ଟି, ଅନେକ ଆକ୍ରାନ୍ତଙ୍କ ବିଳମ୍ବରେ ଟେଷ୍ଟିଂ ଓ ଚିକିତ୍ସା ମଧ୍ୟ ରୋଗର ସଙ୍ଗିନ୍ ସ୍ଥିତି ପାଇଁ ଦାୟୀ ବୋଲି କୁହାଯାଇଥିଲା। ଗୁରୁତର ଆକ୍ରାନ୍ତଙ୍କ ରେଫେରାଲ୍ ସହିତ ଆଇସିୟୁ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ମଧ୍ୟ ଜୋର ଦିଆଯାଇଥିଲା।
ବହୁବର୍ଷର ବ୍ୟବଧାନ ପରେ ୨୦୨୩ ମସିହାରେ ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ଆତଙ୍କ ଖେଳାଇଥିଲା। ୨-୩ଟି ଜିଲ୍ଲାକୁ ଛାଡ଼ିଦେଲେ ରାଜ୍ୟର ସବୁ ଜିଲ୍ଲାରୁ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୩ହଜାର ଓ ସରକାରୀ ଭାବେ ୮ଜଣଙ୍କ ମୃତ୍ୟୁ ହୋଇଥିଲା। ରାଜ୍ୟ କୃଷି ସଚିବ ଅରବିନ୍ଦ ପାଢ଼ୀ ମଧ୍ୟ ସ୍କ୍ରବ୍ ଟାଇଫସ୍ରେ ଆକ୍ରାନ୍ତ ହୋଇଥିଲେ। ପୂର୍ବରୁ ରାଜ୍ୟବାସୀ ସ୍କ୍ରବ୍ ଟାଇଫସ୍ ସଂପର୍କରେ ଲୋକମାନେ ଅଜଣା ରହିଥିଲେ। କୀଟ କାମୁଡ଼ିବା ଦ୍ବାରା ଏଭଳି ରୋଗ ହେଉଥିବାରୁ ଏହା ଲୋକଙ୍କ ଭିତରେ ଆତଙ୍କ ଖେଳାଇ ଦେଇଥିଲା। ମ୍ୟାଲେରିଆ, ଡେଙ୍ଗୁକୁ ନେଇ ସରକାରୀ ସ୍ତରରେ ଘନ ଘନ ସଚେତନତା ଜାରି ରହିଛି। ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମରେ ଏହି ଦୁଇ ରୋଗ ସଂପର୍କରେ ସଚେତନ କରାଯାଉଛି। ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ମଧ୍ୟ ଏକ ଜନସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥିବା ବେଳେ ଏ ଦିଗରେ ସେଭଳି ସଚେତନତା ନଜରକୁ ଆସୁନାହିଁ।
ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ଜଣ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଯେଉଁ ମୃତ୍ୟୁ ଅଭିଯୋଗ ହୋଇଛି ତାହାର ଯାଞ୍ଚ ଚାଲିଛି। ଗତବର୍ଷ ସ୍କ୍ରବ୍ ଟାଇଫସ୍ରେ ଆକ୍ରାନ୍ତ କିଛି ବ୍ୟକ୍ତିଙ୍କ ପୁନର୍ବାର ନମୁନା ପରୀକ୍ଷା କରାଯିବା ପରେ ତାହା ନେଗେଟିଭ୍ ରହିଥିଲା। ତେଣୁ ଯେଉଁ ବ୍ୟକ୍ତି ସ୍କ୍ରବ ଟାଇଫସ୍ରେ ଆକ୍ରାନ୍ତ ଜଣାପଡ଼ିବେ ତାଙ୍କର ପୁନର୍ବାର ନମୁନା ପରୀକ୍ଷା ପାଇଁ ଜିଲ୍ଲାମାନଙ୍କୁ କୁହାଯାଇଛି। ଘରୋଇ ହସ୍ପିଟାଲ-ଡାଏଗ୍ନୋଷ୍ଟିକ୍ ସେଣ୍ଟର ରିପୋର୍ଟ ପ୍ରଦାନରେ ସହଯୋଗ କରୁ ନ ଥିବା ନଜରକୁ ଆସିଛି। ଏଥିପାଇଁ ପୁନର୍ବାର ଏକ ପତ୍ର ଜାରି କରାଯିବ। ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ମଧ୍ୟ ଘଟଣାସ୍ଥଳକୁ ପଠାଯାଇଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।
ଲକ୍ଷଣ :
ଦୀର୍ଘଦିନ ଧରି ଜ୍ୱର ଲାଗି ରହିବ
ପେଟ ରେ ଯନ୍ତ୍ରଣା ହେବ
ମୁଣ୍ଡ ବ୍ୟଥା ହେବ
ଗୋଡ ହାତ ଯନ୍ତ୍ରଣା ହେବ
ପରିସ୍ରା ବନ୍ଦ ହେଇପାରେ
କିଡ଼ନେଯ ସମସ୍ୟା
ରକ୍ତ ରେ ପ୍ଲେଟଲେଟ ର ପରିମାଣ କମିଯିବ
ଏଂସେଫାଲାଇଟିସ ହୋଇଥାଏ

