ଆଞ୍ଚଳିକ

ଖଣ୍ଡଗିରି, ଉଦୟଗିରି ଗୁମ୍ଫାରୁ ହେବ ଜବରଦଖଲ

Spread the love

ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫାର କେତେକ ସ୍ଥାନରେ ବେଆଇନ ଜବରଦଖଲ ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ୍‌ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ଦୁଇ ଜନସ୍ବାର୍ଥ ମାମଲାର ଶୁଣାଣି କରି ଖଣ୍ଡଗିରି ଓ ଉଦୟଗିରିର ସ୍ଥିତି ଅନୁଧ୍ୟାନ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ରବିବାର ଦିନ ଦୁଇ ଅତିରିକ୍ତ ସରକାରୀ ଓକିଲ(ଏଜିଏ) ଏଲ୍‌. ସାମନ୍ତରାୟ ଓ ଏସ୍‌. ପଟ୍ଟନାୟକ ଖଣ୍ଡଗିରି ଓ ଉଦୟଗିରି ଗସ୍ତ କରିବେ। ଜବରଦଖଲ ପ୍ରସଙ୍ଗରେ ସ୍ଥିତି ଅନୁଧ୍ୟାନ କରି ବିସ୍ତୃତ ରିପୋର୍ଟ ଦାଖଲ କରିବେ। ପରିଦର୍ଶନ ସମୟରେ ଖୋର୍ଦ୍ଧା ଜିଲ୍ଲାପାଳ ଆବଶ୍ୟକ ବ୍ୟବସ୍ଥା କରିବେ।ଏଜିଏଙ୍କ ଗସ୍ତ ସମୟରେ ସେମାନଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ପାହ୍ୟାର ଅଧିକାରୀ ଉପସ୍ଥିତ ରହିବେ। ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏଜିଏ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫାରେ ଜବରଦଖଲ ଅଭିଯୋଗ ସଂକ୍ରାନ୍ତୀୟ ଅନୁଧ୍ୟାନ ରିପୋର୍ଟ ଦାଖଲ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏଜିଏଙ୍କ ଗସ୍ତ ପୂର୍ବରୁ ଜିଲ୍ଲାପାଳ ସମସ୍ତ ଜବରଦଖଲ ଉଚ୍ଛେଦ କରିବେ ଏବଂ ସ୍ମାରକସ୍ଥଳ ଯେପରି କ୍ଷତିଗ୍ରସ୍ତ ନ ହେବ ତାହା ସୁନିଶ୍ଚିତ କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ସେପ୍ଟେମ୍ବର୍‌ ୨୫କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଶ୍ରୀ ଖଣ୍ଡଗିରି ଉଦୟଗିରି ଦିଗମ୍ବର ଜୈନ ସିଦ୍ଧକ୍ଷେତ୍ର ଓ ଅନ୍ୟ ଏକ ମାମଲାର ଏକତ୍ର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାର ଐତିହାସିକ, ପ୍ରତ୍ନତାତ୍ତ୍ବିକ ଓ ଧାର୍ମିକ ଗୁରୁତ୍ବ ରହିଛି। ଖଣ୍ଡଗିରି ଓ ଉଦୟଗିରିରେ ବହୁତ ଗୁମ୍ଫା ଓ ମନ୍ଦିର ରହିଛି। ଜୈନ ସମ୍ପ୍ରଦାୟ ପାଇଁ ମଧ୍ୟ ଏହି ସ୍ଥାନ ବହୁତ ଗୁରୁତ୍ବପୂର୍ଣ୍ଣ। କିନ୍ତୁ ପାହାଡ଼ର କେତେକ ସ୍ଥାନକୁ ଜବରଦଖଲ କରାଯାଇ ବେଆଇନ୍‌ ନିର୍ମାଣ କରାଯାଇଥିବା ନେଇ ଅଭିଯୋଗ ରହିଛି।

Leave a Reply

Your email address will not be published. Required fields are marked *