ଚେପକ୍ରେ ଚାଲିଥିବା ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ୍ରେ ଭାରତ ୩୦୮ ରନ୍ରେ ଆଗୁଆ
ଚେପକ୍ରେ ଚାଲିଥିବା ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ୍ରେ ଶୁକ୍ରବାର ଦ୍ବିତୀୟ ଦିବସରେ ମୋଟ ୧୭ ୱିକେଟ୍ର ପତନ ଘଟିଛି। ଏହାରି ଭିତରେ ଭାରତ କିନ୍ତୁ ନିଜକୁ ନିୟନ୍ତ୍ରଣରେ ରଖିଥିବା ବେଳେ ହାତରେ ୭ ୱିକେଟ୍ ଥାଇ ୩୦୮ ରନ୍ରେ ଅଗ୍ରଣୀ ହୋଇସାରିଛି।
ପେସ୍ ବୋଲରଙ୍କ ପ୍ରାଧାନ୍ୟ ଭିତରେ ରହିଥିବା ଏହି ଟେଷ୍ଟ୍ରେ ଭାରତ ପ୍ରଥମ ପାଳିରେ ୩୭୬ ରନ୍ କରିବା ପରେ ଯଶପ୍ରୀତ୍ ବୁମ୍ରାଙ୍କ ନେତୃତ୍ବାଧୀନ ବୋଲିଂବାହିନୀ ବାଂଲାଦେଶ ପାଳିକୁ ମାତ୍ର ୧୪୯ ରନ୍ରେ ରୋକି ଦେଇଛି। ପ୍ରଥମ ପାଳିରେ ୨୨୭ ରନ୍ର ଅଗ୍ରଣୀ ସତ୍ତ୍ବେ ଭାରତ ଫଲୋଅନ୍ ନ ଡାକି ଦ୍ବିତୀୟ ପାଳି ଖେଳୁଛି। ଶୁକ୍ରବାର ଦ୍ବିତୀୟ ଦିନ ଶେଷ ସୁଦ୍ଧା ଭାରତ ୩ ୱିକେଟ୍ରେ ୮୧ ରନ୍ ସଂଗ୍ରହ କରିଛି। ରୋହିତ ଶର୍ମା (୬, ୫) ଓ ବିରାଟ କୋହଲି (୬, ୧୭) ଉଭୟ ପାଳିରେ ବିଫଳ ହେବା ଦଳୀୟ ମ୍ୟାନେଜମେଣ୍ଟ୍କୁ ଚିନ୍ତାରେ ପକାଇଛି।
ଶୁକ୍ରବାର ସକାଳେ ଭାରତ ୩୩୯/୬ରୁ ଖେଳିବା ପରେ ରବୀନ୍ଦ୍ର ଜାଡ଼େଜା (୮୬) ଆଉ କୌଣସି ରନ୍ ଯୋଡ଼ିବା ପୂର୍ବରୁ ତସ୍କିନ୍ ଅହମ୍ମଦଙ୍କ ପେସ୍ରେ ପରାସ୍ତ ହୋଇଥିଲେ। ଫଳରେ ଅଶ୍ବିନଙ୍କ ସହ ସପ୍ତମ ୱିକେଟ୍ରେ ଦ୍ବିଶତକ ଭାଗୀଦାରିଠାରୁ ଦଳ ୧ ରନ୍ ଦୂରରେ ରହିଯାଇଥିଲା। କିଛି ସମୟ ପରେ ତସ୍କିନ୍ ଲଗାତାର ଓଭରରେ ଅଶ୍ବିନ (୧୧୩) ଓ ଆକାଶ ଦୀପ (୧୭)ଙ୍କୁ ଆଉଟ କରିଥିଲେ। ମହମ୍ମଦ ସିରାଜଙ୍କୁ ଆଉଟ୍ କରି ହାସନ୍ ମେହମ୍ମୁଦ ତାଙ୍କ ଦ୍ବିତୀୟ ୫ ୱିକେଟ୍ ସଫଳତା ଅର୍ଜନ କରିଥିଲେ। ଜବାବରେ ବାଂଲାଦେଶ ପାଳିକୁ ପ୍ରଥମରୁ ଅସ୍ଥିର ରଖିଥିଲେ ଭାରତୀୟ ପେସର୍।
୪୦ ରନ୍ ବେଳକୁ ବାଂଲାଦେଶ ୫ ୱିକେଟ୍ ହରାଇବା ସହ ସଂଘର୍ଷ କରିଥିଲା। ପ୍ରଥମ ଓଭରରେ ସଦମାନ ଇସ୍ଲାମଙ୍କୁ ବୁମରା ବୋଲ୍ଡ କରି ଅଭିଯାନ ଆରମ୍ଭ କରିଥିଲେ। ଆକାଶ ଦୀପ ମଧ୍ୟାହ୍ନ ଭୋଜନ ପୂର୍ବରୁ ଲଗାତାର ବଲ୍ରେ ଜାକିର ହାସନ୍ ଓ ମୋମିନୁଲ୍ ହକ୍ଙ୍କୁ ପ୍ୟାଭିଲିଅନ୍ ପଠାଇ ଦେଇଥିଲେ। ମଧ୍ୟାହ୍ନରୁ ଚା’ପାନ ଭିତରେ ଭାରତୀୟ ବୋଲର ୫ ୱିକେଟ୍ ଦଖଲ କରି ବାଂଲାଦେଶକୁ ପ୍ରତ୍ୟାବର୍ତନ ବାଟ ଛାଡ଼ି ନଥିଲେ। ରବୀନ୍ଦ୍ର ଜାଡ଼େଜା ତାଙ୍କ ସ୍ପିନ୍ ଜାଲରେ ଦୁଇ ପ୍ରମୁଖ ଖେଳାଳି ସକିବ୍ ଅଲ୍ ହାସନ୍ (୩୨) ଓ ଲିଟନ୍ ଦାସ (୨୨)ଙ୍କୁ ଆଉଟ୍ କରିବା ନିର୍ଣ୍ଣାୟକ ହୋଇଥିଲା। ଏହା ପରେ ମେହଦୀ ହାସନ୍ ମିରାଜ (୨୭*) ଗୋଟିଏ ପାର୍ଶ୍ବରେ ଲଢ଼ିଥିଲେ ମଧ୍ୟ ବୁମ୍ରା ଓ ସିରାଜ ଶେଷ ୩ ୱିକେଟ୍ ପୋଛି ନେଇଥିଲେ। ବୁମ୍ରା (୧୧-୧-୫୦-୪) ସଫଳତମ ବୋଲର ଥିବାବେଳେ ସିରାଜ, ଆକାଶ ଦୀପ ଓ ଜାଡ଼େଜା ପ୍ରତ୍ୟେକ ୨ ଲେଖାଏଁ ୱିକେଟ୍ ନେଇଥିଲେ।
ଦ୍ବିତୀୟ ପାଳି ଆରମ୍ଭ କରିବା ପରେ ଭାରତ ମଧ୍ୟ ରୋହିତ ଶର୍ମା (୫), ଯଶସ୍ବୀ ଜୟସ୍ବାଲ (୧୦), ବିରାଟ କୋହଲି (୧୭)ଙ୍କୁ ସଅଳ ହରାଇଥିଲା। ରୋହିତଙ୍କୁ ତସ୍କିନ୍ ଓ କୋହଲିଙ୍କୁ ମିରାଜ ଆଉଟ୍ କରିଥିଲେ। କିନ୍ତୁ ଶୁବମନ ଗିଲ୍ (୩୩*) ଓ ଋଷଭ ପନ୍ତ (୧୨*) ଆଉ କ୍ଷତି ପହଞ୍ଚାଇନାହାନ୍ତି।

