ଆଜିଠୁ ନର୍ସିଂ କର୍ମଚାରୀଙ୍କ କାମ ବନ୍ଦ: ଧମକାଇଲେ ସରକାର
ଆସନ୍ତାକାଲିଠାରୁ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ। ଜରୁରିକାଳୀନ ରୋଗୀ ସେବାରେ କୌଣସି ପ୍ରକାର ବାଧା ନ ଦେଇ ଆନ୍ଦୋଳନକୁ ଓହ୍ଲାଇବେ ନର୍ସିଂ କର୍ମଚାରୀ।ଅଗଷ୍ଟ ୭ ତାରିଖରୁ ରାଜ୍ୟରେ କାର୍ଯ୍ୟରତ ନର୍ସ, ପାରାମେଡିକ୍ସ, ଟେକ୍ନିସିଆନ୍ ଓ ଅନ୍ୟ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ଏସ୍ମା ଲାଗୁ ହୋଇଛି। ଏହା ୬ମାସ ପାଇଁ ବଳବତ୍ତର ରହିବ। ନିକଟରେ ନର୍ସିଂ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ଦାବିପତ୍ରରେ ୨୫ ତାରିଖରୁ ଅଣଜରୁରିକାଳୀନ ସେବା ବନ୍ଦ କରିବା ନେଇ ଉଲ୍ଲେଖ କରିଛନ୍ତି। ତେଣୁ ଆନ୍ଦୋଳନକୁ ଓହ୍ଲାଉଥିବା କର୍ମଚାରୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନର୍ସିଂ ନିର୍ଦ୍ଦେଶାଳୟ ନିର୍ଦେଶ ଦେଇଛି।
ପରପକ୍ଷରେ ରାଜ୍ୟ ସରକାରଙ୍କ ଚେତାବନୀ ପତ୍ର ସତ୍ତ୍ବେ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ନିଜ ଜିଦ୍ରେ ଅଟଳ ରହିଛି। ସଂଘର ସାଧାରଣ ସଂପାଦକ ଅଶ୍ବିନୀ କୁମାର ଦାସ କହିଛନ୍ତି, ଆସନ୍ତାକାଲିଠାରୁ ନର୍ସିଂ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇବେ। ଦାବି ପୂରଣ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି।
