ଖାଉଟିଙ୍କୁ ଦରବୃଦ୍ଧି ପ୍ରହାର
ଖାଉଟିଙ୍କୁ ଦରବୃଦ୍ଧି ପ୍ରହାର |୧୦ ଦିନ ତଳେ ଭୁବନେଶ୍ୱର ସୋରିଷ ତେଲ ଲିଟର ପ୍ରତି ଦର ଥିଲା ୧୪୦ ଟଙ୍କା । ଏବେ ସେହି ତେଲ ଦର ୧୬୦ ଟଙ୍କା । କେବଳ ସୋରିଷ ନୁହେଁ, ରିଫାଇନ୍ ତେଲ ଦର ୯୦ରୁ ୧୦୦ରେ ବିକ୍ରି ହେଉଥିବା ବେଳେ ଏବେ ୧୨୦ ଟଙ୍କାରେ ପହଞ୍ଚିଛି । ସୂର୍ଯ୍ୟମୁଖୀ ତେଲ ୧୨୨ ଓ ପାମୋଲିନ୍ ତେଲ ୧୦୭ ଟଙ୍କାରେ ବିକ୍ରି ହେଉଛି । କେବଳ ଖାଇବା ତେଲ ନୁହେଁ ଡାଲି ଦର ମଧ୍ୟ ଅନୁରୂପ ଭାବେ ବଢ଼ିଛି । ଯେଉଁ ହରଡ଼ ଡାଲି କିଲୋ ପୂର୍ବରୁ ୧୬୦ରୁ ୧୬୫ ଟଙ୍କା ଥିଲା ତାହା ଏବେ ୧୭୦ ଟଙ୍କାରେ ପହଞ୍ଚିଛି । ମୁଗ ଡାଲି ୧୨୦ଟଙ୍କାରୁ ୧୩୦ ଛୁଇଁଛି । ହଠାତ୍ ଖାଉଟି ବଜାରରେ ତେଲ ଓ ଡାଲି ଦର ବଢିଯାଇଛି |ଖାଇବା ତେଲ ଉପରେ ଆମଦାନୀ ଶୁକ୍ଳ ବଢ଼ିଥିବାରୁ ଦର ବଢ଼ିଥିବା ବିଶେଷଜ୍ଞମାନେ କହିଛନ୍ତି । ଯେଉଁ ବେପାରୀମାନେ ପୁରୁଣା ଦରରେ ସୋରିଷ, ରିଫାଇନ୍ ତେଲ ମହଜୁଦ ରଖିଥିଲେ ସେମାନେ ଏବେ ଦର ବଢାଇ ବିକ୍ରି କରୁଛନ୍ତି । ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଗୋଟିଏ ପଟେ ବିଭିନ୍ନ କମ୍ପାନୀ ତେଲ ଦର ବୃଦ୍ଧି ପାଉଥିବା ବେଳେ ଏବେ ଘଣା ତେଲ କିଣିବାକୁ ଭିଡ଼ ଜମୁଛି । ଗତ କିଛିମାସ ହେବ ରାଜ୍ୟରେ ଦରଦାମ୍ ତାତି ଲାଗିରହିଛି । ପରିବାଠାରୁ ନେଇ ଆଳୁ, ପିଆଜ, ଅଦା, ରସୁଣ, ଚିନି ଦର ଧୀରେ ଧୀରେ ବଢ଼ିଚାଲିଛି । ତିନିମାସ ହେବ ପିଆଜ କେଜି ୪୫ଟଙ୍କାରୁ ୭୦ଟଙ୍କାରେ ପହଞ୍ଚିଲାଣି । ଯାହାକୁ ନେଇ ମଧ୍ୟବିତ୍ତଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି ।
ତେବେ ଏହାର ସୁଯୋଗ ନେଇ କଳାବଜାରୀ ହେଉଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି । ସାଧାରଣ ନିର୍ବାଚନ ପରେ ହଠାତ୍ ଏଭଳି ଦର ବୃଦ୍ଧି ହେଉଛି । ସରକାର ପ୍ରଥମେ ସାଧାରଣ ଗ୍ରାହକଙ୍କ କଥା ବୁଝିବା ଦରକାର । ଗ୍ରାହକ କିଭଳି ବଞ୍ଚିବେ ସେଥିପାଇଁ ସରକାର ଦର ନିର୍ଦ୍ଧାରଣ କରନ୍ତୁ ।

