ନିଶା ସେବନ କଲେ ଦେବାକୁ ପଡ଼ିବ ଜୋରିମାନା
ନିଶା ନିବାରଣ ପାଇଁ ଗାଁରେ ହେଲା ନୂଆ ନିୟମ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଗାଁରେ ଆଉ କେହି କରିପାରିବେନି ନିଶା ସେବନ । ନିଶା ସେବନ କଲେ ଦେବାକୁ ପଡ଼ିବ ଜୋରିମାନା | ସବୁ ଗାଁ ପାଇଁ ବି ଉଦାହରଣ ସାଜିଛି । ଯିଏ ନିୟମ ଭାଙ୍ଗିବ ୫ ହଜାର ଟଙ୍କା ଜୋରିମାନା ଦେବ । ତେବେ ଏଭଳି ଘଟଣା ଘଟିଛି ଛତିଶଗଡ଼ ଅମ୍ବିକାପୁର ଜିଲ୍ଲାର ଚେନ୍ପୁର୍ ଗାଁରେ । ଗାଁରେ ମଦ ଓ ତମାଖୁ ପୂରା ନିଷେଧ କରାଯାଇଛି ।ଗାଁରେ ବସିଥିବା ଗ୍ରାମସଭାରେ ନିଷ୍ପତ୍ତି କରାଯାଇଛି ।
ସବୁଠୁ ବଡ଼ କଥା ହେଉଛି ଏହି ଘଟଣାକୁ ତଦାରଖ କରିବେ ଗାଁର ମହିଳା ସମିତି କମିଟି । ଯିଏ ବି ଏହି ନିୟମ ଭଙ୍ଗ କରିବ ତାକୁ ୫୦୦୦ ଟଙ୍କା ଫାଇନ୍ ଦେବାକୁ ପଡ଼ିବ । କମିଟିରେ ୫ ଜଣ ମହିଳା ରହିବେ । ଯେଉଁମାନେ ଘଟଣାକୁ ପୂରା ତଦାରଖ କରିବେ । ଏଭଳି କହିଛନ୍ତି ଗାଁର ସରପଞ୍ଚ । ଚେନପୁର ଗାଁ ଭୌଗୋଳିକ ଦୃଷ୍ଟି କୋଣରୁ ହେଉଛି ୪୨୯.୪୬ ହେକ୍ଟର, ଅମ୍ବିକାପୁର ଜିଲ୍ଲା ମୁଖ୍ୟାଳୟଠାରୁ ୬୫ କିଲୋମିଟର ଦୂରରେ ଅବସ୍ଥିତ ରହିଛି ଚେନପୁର ଗାଁ । ଏହାର ମୋଟ ଜନସଂଖ୍ୟା ୧୫୦୦ରୁ ଅଧିକ। ଗାଁର ସାକ୍ଷରତା ହାର ପ୍ରାୟ ୪୭ ପ୍ରତିଶତ ଥିବାବେଳେ ସମୁଦାୟ ଜନସଂଖ୍ୟାର ୯୫ ପ୍ରତିଶତରୁ ଅଧିକ ଲୋକ ଆଦିବାସୀ ।
ସବୁଠାରୁ ବଡ଼ କଥା ଗାଁରେ କୌଣସି ଅନୁସୂଚିତ ଜାତି ବସବାସ କରନ୍ତି ନାହିଁ ।ମହିଳା କମିଟି ସଦସ୍ୟମାନେ ଏହି ନିଷେଧାଦେଶ ଲାଗୁ କରିବା ପଛର କାରଣ ମଧ୍ୟ କହିଛନ୍ତି, ଗାଁରେ ସାମାଜିକ ହିଂସା ସମେତ ସାମାଜିକ ବିରୋଧୀ କାର୍ଯ୍ୟକଳାପ ତଥା ଖରାପ ଆଚରଣକୁ ରୋକିବା ବ୍ୟତୀତ ସମସ୍ତଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆ ଯାଇଛି ବୋଲି କହିଛନ୍ତି ।ମଦ, ସିଗାରେଟ୍ ଓ ତମାଖୁ ଦ୍ରବ୍ୟର ବିକ୍ରି ଓ ସେବନ ଉପରେ କମିଟି ନଜର ରଖିବ।
ଖୁଚୁରା ଦୋକାନଗୁଡିକରେ ମଧ୍ୟ ମଦ, ସିଗାରେଟ୍, ତମାଖୁ, ବିଡି ଏବଂ ଗାଁରେ ଡ୍ରଗ୍ସ ବିକ୍ରି ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିକ୍ରି କିମ୍ବା କିଣୁଥିବା ଦୋକାନୀମାନଙ୍କୁ ମଧ୍ୟ ଜୋରିମାନା ଦେବାକୁ ପଡ଼ିବ। ଗ୍ରାମ ବିକାଶ ସମିତିକୁ ଜୋରିମାନା ସଂଗ୍ରହ କରିବାକୁ ଅନୁମତି ବି ଦିଆଯାଇଛି ଯାହା ଗାଁର କଲ୍ୟାଣ ତଥା ବିକାଶ କାମ ପାଇଁ ବ୍ୟବହୃତ ହେବ ।

