ଅର୍ଥନୀତି

ତେଲ ଦର ୭୫ ଡଲାର ଟପିଲା

Spread the love

ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ଯୋଗୁ ଅନ୍ତର୍ଜାତୀୟ ବଜାରର ତେଲ ବଜାରରେ ନିଆଁ ଲାଗିଛି। ବ୍ରେଣ୍ଟ୍‌ କ୍ରୁଡ୍‌ ଦାମ୍‌ ଆଜି ବ୍ୟାରେଲ ପିଛା ୧.୫୨ ଡଲାର ବା ୨.୦୬ ପ୍ରତିଶତ ବୃଦ୍ଧି ଘଟି ୭୫.୪୨ ଡଲାରରେ ପହଞ୍ଚିଛି। ସେହିଭଳି ୱେଷ୍ଟ ଟେକ୍ସାସ୍‌ ଇଣ୍ଟରମିଡିଏଟ୍‌ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧.୫୮ ଡଲାର ବା ୨.୨୫ ପ୍ରତିଶତ ବୃଦ୍ଧି ଘଟି ୭୧.୬୮ ଡଲାରରେ ପହଞ୍ଚିଛି।

ଇସ୍ରାଏଲ ମୁଖ୍ୟତଃ ଇରାନର ତୈଳ ବିଶୋଧନାଗାର ଓ ଅନ୍ୟାନ୍ୟ ଭିତ୍ତିଭୂମି ଉପରେ ଆକ୍ରମଣ କରିପାରେ। ଏହା ହେଲେ ଇରାନ-ଇସ୍ରାଏଲ ଯୁଦ୍ଧ ଭୟଙ୍କର ରୂପ ନେବ। ଏଥିସହିତ ଇରାନ ହର୍ମୁଜ୍‌ ପ୍ରଣାଳୀ ଉପରେ ଆକ୍ରମଣ କରି ତେଲ ପରିବହନକୁ ପ୍ରଭାବିତ କରିପାରେ। ଏହି ପ୍ରଣାଳୀ ଦେଇ ଦୈନିକ ବିଶ୍ବର ଏକ ପଞ୍ଚମାଂଶ ତୈଳ ଯୋଗାଣ ହୋଇଥାଏ।

ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ଇରାନକୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଏହାର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି। ଏହାର ଜବାବରେ ତେହରାନ କହିଛି ଯେ କୌଣସି ପ୍ରକାର ଆକ୍ରମଣ ହେଲେ ବିରାଟ ଧ୍ବଂସ ରଚନା କରାଯିବ। ଏଥିଯୋଗୁ ଇରାନ-ଇସ୍ରାଏଲ ମଧ୍ୟରେ ଉତ୍ତେଜନା ଏକ ବ୍ୟାପକ ଯୁଦ୍ଧର ରୂପ ନେବ। ରୁଷ୍‌ରୁ ଭାରତର ତୈଳ ଆମଦାନି ବୃଦ୍ଧି ପାଉଥିଲେ ମଧ୍ୟ ମଧ୍ୟ ପ୍ରାଚ୍ୟ ଉପରେ ଏହାର ନିର୍ଭରଶୀଳତା ରହିଛି। ଅଗଷ୍ଟ ମାସରେ ରୁଷ୍‌ରୁ ଭାରତ ଆମଦାନି କରୁଥିବା ଅଶୋଧିତ ତେଲର ପରିମାଣ ପ୍ରାୟ ୩୬ ପ୍ରତିଶତକୁ ହ୍ରାସ ପାଇଛି।

Leave a Reply

Your email address will not be published. Required fields are marked *