ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ ରେ ପ୍ରଥମ ମ୍ୟାଚ ହାରିଲା ଭାରତ
ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତ ନୈରାଶ୍ୟଜନକ ଭାବେ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ପ୍ରଥମ ମ୍ୟାଚ୍ରେ ଭାରତ ୫୮ ରନ୍ରେ ନ୍ୟୁଜିଲାଣ୍ଡଠୁ ପରାସ୍ତ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୪ ୱିକେଟ୍ ବିନିମୟରେ ୧୬୦ ରନ୍ କରିଥିଲା।ଅଧିନାୟିକା ସୋଫି ଡିଭାଇନ୍ଙ୍କ ୫୭* ଓ ଜର୍ଜିଆ ପ୍ଲିମରଙ୍କ ୩୪ ରନ୍ ସହାୟତାରେ ନ୍ୟୁଜିଲାଣ୍ଡ ବଡ଼ ସ୍କୋର କରିଥିଲାବେଳେ ରେଣୁକା ସିଂହ ୨, ଅରୁନ୍ଧତୀ ରେଡ୍ଡୀ ଓ ଆଶା ଶୋଭନା ୧ ୱିକେଟ୍ ଲେଖାଏଁ ନେଇଥିଲେ। କିନ୍ତୁ ୧୬୧ ରନ୍ର ଲକ୍ଷ୍ୟକୁ ପିଛା କରି ଭାରତ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପାୱାରପ୍ଲେ ଭିତରେ ୩ ୱିକେଟ୍ ହରାଇଥିବା ଭାରତ ନିୟମିତ ଅନ୍ତରାଳରେ କ୍ଷତି ସହିଚାଲିଥିଲା। ଶେଷରେ ୧ ଓଭର ପୂର୍ବରୁ ୧୦୨ ରନ୍ରେ ଭାରତ ଅଲ୍ଆଉଟ୍ ହୋଇଥିଲା।

