ଚିଲିକା ନଳବଣକୁ ଆସିଲେଣି ବିିଦେଶୀ ପକ୍ଷୀ
ଶୀତ ଦିନ ଆରମ୍ଭ ହୋଇନି । ହେଲେ ଏବେଠୁ ଆସିଲେଣି ବିଦେଶୀ ପକ୍ଷୀ । ଚିଲିକା ନଳବଣରେ ହଜାର ହଜାର ରଙ୍ଗବେରଙ୍ଗର ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳିଛି । ବନ ବିଭାଗ ପକ୍ଷରୁ ପକ୍ଷୀଙ୍କ ସୁରକ୍ଷା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ସାଧାରଣତଃ ନଭେମ୍ବର ଆରମ୍ଭରେ ଅର୍ଥାତ ଶୀତ ପଡ଼ିବା ପରେ ମରାଳ ମାଳିନୀ ନୀଳାମ୍ବୁ ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ ।
ବନ ବିଭାଗ ସୂଚନା ଅନୁଯାୟୀ, ପ୍ରାୟ ୧୦ ହଜାରରୁ ଅଧିକ ପିଣ୍ଟେଲ୍, ଗଡ୍ୱିଲ୍ ଓ ସୋଭ୍ଲର୍ ଇତ୍ୟାଦି ବିଦେଶୀ ଅତିଥି ପକ୍ଷୀ ଆସି ନଳବଣ ଇଲାକାରେ ପହଞ୍ଚି ଗଲେଣି । ପକ୍ଷୀମାନେ ଆସିବା ସୂଚନା ମିଳିବା କ୍ଷଣି ଶିକାରୀମାନେ ନିଜକୁ ପ୍ରସ୍ତୁତ କଲେଣି । ଏହି ଖବର ଜଣାପଡ଼ିବା ପରେ ଚିଲିକା ୱାଇଲ୍ଡ ଲାଇଫ୍ ଡିଭିଜନ୍ର ଡିଏଫ୍ଓ ଆମ୍ଳାନ ନାୟକ କହିଛନ୍ତି, ଚଳିତ ବର୍ଷ ଶୀତ ପୂର୍ବରୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଛି । ସେତେ ପରିମାଣରେ ପକ୍ଷୀ ଆସିନାହାନ୍ତି ।
ଶୀତ ପଡ଼ିଲା ପରେ ପକ୍ଷୀମାନଙ୍କ ସମୂହ ଆଗମନ ହେବ ବୋଲି ଆଶଙ୍କା କରାଯାଉଛି । ପକ୍ଷୀଙ୍କ ସୁରକ୍ଷା ପାଇଁ ସାତପଡ଼ା, ଚିଲିକା ନୂଆପଡ଼ା, ବାଲୁଗାଁ, ଟାଙ୍ଗି, ରମ୍ଭା ଇତ୍ୟାଦି ରେଞ୍ଜ୍ ଅଧୀନରେ ପ୍ରାୟ ୧୫ରୁ ଅଧିକ ସ୍କ୍ୱାଡ୍ ଟିମ୍ ଗଠନ କରାଯାଇ କ୍ୟାମ୍ପ୍ ହୋଇଛି । ସେମାନେ ଶିକାରୀଙ୍କ ଗତିବିଧି ଉପରେ ତୀକ୍ଷ୍ମ ନଜର ରଖିଛନ୍ତି । ପକ୍ଷୀ ସୁରକ୍ଷା ନିମନ୍ତେ କଡ଼ା ନଜର ରଖା ଯାଇଛି । ସେହିପରି ଅସ୍ତରଙ୍ଗରେ ବିଦେଶୀ ପକ୍ଷୀଙ୍କ ଆଗମନ ଦେଖିବାକୁ ମିଳିଛି । ସମୁଦ୍ରର ନୀଳ ଜଳରାଶି ଉପରେ ରଙ୍ଗବେରଙ୍ଗର ବିଦେଶାଗତ ପକ୍ଷୀଙ୍କ କଳରବ ସାଙ୍ଗକୁ ଭଳିକି ଭଳି ଉଡ଼ାଣ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଛ। ପାପିରା, ଗଙ୍ଗାଦେବୀ, କେଳୁଣୀ ମୁହାଣ ଅଞ୍ଚଳରେ ଥିବା ଗଛଗୁଡ଼ିକରେ ବିଦେଶାଗତ ପକ୍ଷୀ ପରିପୂର୍ଣ୍ଣ ହୋଇଗଲଣି ।

