ଏହି ନୀଳ ରଙ୍ଗର ଫୁଲରୁ ମିଳିଥାଏ ଅନେକ ସ୍ୱାସ୍ଥ୍ୟ ଉପକାରୀ
ଅପରାଜିତା ଫୁଲ ପ୍ରାୟ ସମସ୍ତଙ୍କ ବାଡି ବଗିଚାରେ ଦେଖିବାକୁ ମିଳେ । ଏହି ଫୁଲକୁ କେହି କେହି ଶଙ୍ଖପୁଷ୍ପି ବୋଲି ମଧ୍ୟ କହିଥାନ୍ତି । ଏହି ଫୁଲ ଯେତିକି ସୁନ୍ଦର ସେତିକି ଉପକାରୀ ମଧ୍ୟ । ସାଧାରଣତଃ ଆମେ ଏହାକୁ ଠାକୁର ପୂଜାରେ ବ୍ୟବହାର କରିଥାଉ ।ଆୟୁର୍ବେଦରେ ଏହା ଜଡି-ବୁଟି ଭାବରେ ଜଣାଯାଏ । ଏହା ଏମିତି ଏକ ପ୍ରାକୃତିକ ଔଷଧ ଯାହା ସ୍ମରଣ ଶକ୍ତି ବଢାଇବାରେ ସାହାଯ୍ୟ କରିବା ସହ ଆହୁରି ଅନେକ ସ୍ବାସ୍ଥ୍ୟ ଉପକାରୀ ଫାଇଦା ଦେଇଥାଏ ।
ଅପରାଜିତା ମସ୍ତିଷ୍କର କାର୍ଯ୍ୟକ୍ଷମତା ବଢାଇବା ସଙ୍ଗେ ସଙ୍ଗେ ଧ୍ୟାନ କେନ୍ଦ୍ରିତ କରିବାରେ ସାହାଯ୍ୟ କରେ । ସେହିପରି ଏହି ଜଡି-ବୁଟିର ନିୟମିତ ସେବନ ଛାତ୍ରଙ୍କ ପାଇଁ ବିଶେଷ ଲାଭକାରୀ ମନେ କରାଯାଏ । କାରଣ ଏହା ସ୍ମରଣ ଶକ୍ତି ବଢାଇବାରେ କାମ କରେ ଓ ପାଠପାଢାରେ ଏକାଗ୍ରତା ଆଣେ। ସେହିପରି ଅପରାଜିତାର ବ୍ୟବହାର ମାନସିକ ଚାପ, ଚିନ୍ତା ଓ ଡିପ୍ରେସନର ଚିକିତ୍ସା ପାଇଁ ବି କରାଯାଏ । ଏହା ମସ୍ତିଷ୍କକୁ ଶାନ୍ତ ଓ ସନ୍ତୁଳନ ପ୍ରଦାନ କରେ । ମାନସିକ ଚାପ କାରଣରୁ କ୍ଲାନ୍ତ ହୋଇପଡିଥିବା ଲୋକଙ୍କୁ ଅପରାଜିତା ଶକ୍ତି ଓ ତାଜାପଣ ଦିଏ । ଯଦ୍ବାରା ମାନସିକ ଥକ୍କାପଣରୁ ଆରାମ ମିଳେ । ଏହା ହୃଦୟ ସ୍ବାସ୍ଥ୍ୟ ପାଇଁ ବି ଭଲ ।
ସେହିପରି ଅପରାଜିତା ବହୁ ଔଷଧୀୟ ଗୁଣରେ ଭରପୂର ହୋଇଥିଲେ ହେଁ ଏହାର କିଛି ଅପକାରିତା ମଧ୍ୟ ରହିଛି ।ଅପରାଜିତା ଏକ ପ୍ରାକୃତିକ ଓ ସୁରକ୍ଷିତ ଔଷଧି । କିନ୍ତୁ ଏହାର ଅତ୍ୟଧିକ ସେବନ କେତେକ ସମସ୍ୟା ସୃଷ୍ଟି କରିଥାଏ । ଅଧିକ ମାତ୍ରାରେ ସେବନ କଲେ ପାଚନ ସମ୍ବନ୍ଧୀୟ ସମସ୍ୟା-ପେଟ ଫୁଲିବା, ଗ୍ୟାସ୍ ହୋଇପାରେ । ଏହା ରକ୍ତଚାପ ମଧ୍ୟ ବହୁତ କମ୍ କରିପାରେ । ଯାହାଫଳରେ ଆମକୁ ଦୁର୍ବଳ ଅନୁଭବ ହୋଇଥାଏ ।

