ସାତକୋଶିଆରେ ବ୍ୟାଘ୍ର ପ୍ରକଳ୍ପ
ଗୋଟିଏ କି ଦୁଇଟି ନୁହେଁ, ବ୍ୟାଘ୍ର ପ୍ରକଳ୍ପ ଭିତରେ ରହିଛି ଶତାଧିକ ଗାଁ। ତଥାପି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ନୂଆରୂପ ଦେବା ପାଇଁ ଏଥିରେ ୧୫ଟି ମହାବଳ ବାଘ ଛାଡ଼ିବା ପାଇଁ ଯୋଜନା ପ୍ରସ୍ତୁତ କଲେଣି ସରକାର।ବର୍ଷକ ଭିତରେ ବାଘ ଆଣି ଛାଡ଼ିବା ପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି। ହେଲେ ଜନବସତି ନ ଉଠାଇ ବାଘ ଛାଡ଼ିବା ଯୋଜନା କେମିତି ସଫଳ ହେବ ତା’କୁ ନେଇ ସନ୍ଦେହ ସୃଷ୍ଟି ହେଲାଣି।
ଅନୁଗୁଳ, ଢେଙ୍କାନାଳ, କଟକ, ବୌଦ୍ଧ ଓ ନୟାଗଡ଼ ଜିଲ୍ଲାର କିଛି ଜଙ୍ଗଲକୁ ନେଇ ଗଠନ କରାଯାଇଥିବା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଭିତରେ ଏବେ ବି ୧୩୪ଟି ଗାଁ ରହିଛି। ସମୁଦାୟ ୧୧୩୬ ବର୍ଗ କିମି ଆୟତନ ବିଶିଷ୍ଟ ଏହି ପ୍ରକଳ୍ପର ୫୨୬ ବର୍ଗ କିମିର କୋର୍ ଅଞ୍ଚଳ ରହିଛି। ଏହି କୋର୍ ଅଞ୍ଚଳ ଭିତରୁ ରାଇଗୁଡ଼ା ଗାଁକୁ ସ୍ଥାନାନ୍ତର କରାଯାଇଛି। ହେଲେ ବୌଦ୍ଧ ଓ ନୟାଗଡ଼ ଜିଲ୍ଲାର ୪ଟି ଗାଁ ଏବେ ବି କୋର୍ ଅଞ୍ଚଳ ଭିତରେ ରହିଛି। ପୁଣି ବଫର୍ ଜୋନ୍ ଭିତରେ ଏତେ ସଂଖ୍ୟକ ଗାଁ ଥିବାରୁ ବ୍ୟାଘ୍ର ପ୍ରକଳ୍ପକୁ ଏହା ଅଡ଼ୁଆ କରିବାର ଆଶଙ୍କା ଦେଖା ଦେଲାଣି।
ସୂଚନା ଅନୁସାରେ ବ୍ୟାଘ୍ର ପ୍ରକଳ୍ପ ଭିତରୁ ଏ ଭିତରେ ଅନୁଗୁଳ ଜିଲ୍ଲାର ୫ଟି ଗାଁକୁ ସ୍ଥାନାନ୍ତର କରାଯାଇଛି। କୋର ଅଞ୍ଚଳ ଭିତରୁ ରାଇଗୁଡ଼ା ହଟିବା ପରେ କୋର୍ ଅଞ୍ଚଳ ବଢ଼ିଛି। ଏପଟେ ପ୍ରକଳ୍ପ ଭିତରେ ରହିଥିବା ଅସନବାହାଳ, କଟରଙ୍ଗ, ରାଇଗୁଡ଼ା, ଟୁଲୁକା, ଭୁରୁକୁଣ୍ଡି ଗାଁକୁ ସ୍ଥାନାନ୍ତର କରାଯାଇଛି। ଏହା ସହିତ ଆଉ କିଛି ଗାଁକୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ସରକାରୀସ୍ତରରେ ଆରମ୍ଭ ହୋଇଛି।
ଲୋକଙ୍କୁ ବୁଝାସୁଝା ଚାଲିଥିଲା ବେଳେ କିଛି ସ୍ଥାନରେ ଲୋକମାନେ ନିଜଆଡ଼ୁ ସରକାରଙ୍କୁ ଲିଖିତ ଭାବେ ଏହା ଜଣାଇ ସାରିଲେଣି। ତେବେ କେବେ ଗାଁଗୁଡ଼ିକୁ ସ୍ଥାନାନ୍ତର କରାଯିବ ସେଥିନେଇ କିଛି ଚୂଡ଼ାନ୍ତ ହୋଇନି। କେବଳ ଅନୁଗୁଳ ଜିଲ୍ଲା ନୁହେଁ, ଏହି ବ୍ୟାଘ୍ର ପ୍ରକଳ୍ପ ଥିବା ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ଗାଁ ସ୍ଥାନାନ୍ତର ପ୍ରକ୍ରିୟା ଧିମା ରହିଛି। ଏହାକୁ ଗୁରୁତ୍ବ ନ ଦେଇ ସରକାର ବାଘ ଆଣିବା ନେଇ ଅଧିକ ପ୍ରସ୍ତୁତି ଚଳାଇଛନ୍ତି।

