ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀର୍ଘ ୫ ବର୍ଷ ପରେ ପ୍ରଥମ ଥର ପାଇଁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ବୈଠକ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀର୍ଘ ୫ ବର୍ଷ ପରେ ଆଜି ପ୍ରଥମ ଥର ପାଇଁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ୨୦୨୦ ମସିହାରୁ ସାମରିକ ବିବାଦରେ ଫସି ରହିଥିବା ଭାରତ-ଚୀନ୍ ମଧ୍ୟରେ ଦୁଇଦିନ ତଳେ ଏକ ବଡ଼ ସୀମା ବୁଝାମଣା ହୋଇଥିବା ବେଳେ ବୁଧବାର ଏହି ବହୁ ପ୍ରତୀକ୍ଷିତ ବୈଠକ ବ୍ରିକ୍ସ ସମ୍ମିଳନୀ ଅବସରରେ କାଜାନ୍ରେ ଅନୁଷ୍ଠିତ ହୋଇଛି।
ଲଦାଖରେ ସୀମା ବିବାଦର ସମାଧାନ ପାଇଁ ଚୀନ୍ର ଆଗ୍ରହକୁ ପ୍ରଧାନମନ୍ତ୍ରୀ ସ୍ବାଗତ କରିଛନ୍ତି ଏବଂ ସୀମାରେ ବିବାଦ ପୂର୍ବରୁ ଯେଭଳି ସ୍ଥିତାବସ୍ଥା ଥିଲା ତାହା ଫେରାଇ ଆଣିବା ନିମନ୍ତେ ପ୍ରୟାସକୁ ଭାରତ ପୂର୍ଣ୍ଣ ସମର୍ଥନ କରୁଥିବା କହିଛନ୍ତି।
ବିଶ୍ବ ଶାନ୍ତି, ସ୍ଥିରତା ଓ ପ୍ରଗତି ପାଇଁ ଭାରତ-ଚୀନ୍ ସୁସଂପର୍କ ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଜିନ୍ପିଙ୍ଗଙ୍କୁ କହିଛନ୍ତି। ମୋଦୀଙ୍କ ଆଭିମୁଖ୍ୟକୁ ଜିନ୍ପିଙ୍ଗ ସମର୍ଥନ କରିଛନ୍ତି ଏବଂ ଭାରତ ସହିତ ସକରାତ୍ମକ ସଂପର୍କ ବଜାୟ ରଖିବା ପ୍ରୟାସ ଜାରି ରହିବ ବୋଲି କହିଛନ୍ତି। ଉଭୟ ଦେଶର ନାଗରିକଙ୍କ କଲ୍ୟାଣ ପାଇଁ ଯୋଗାଯୋଗ ଏବଂ ସହଯୋଗ କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ଉପରେ ଜିନ୍ପିଙ୍ଗ୍ ଗୁରୁତ୍ବାରୋପ କରିଛନ୍ତି।

