‘ଏକ୍ସ’କୁ କେନ୍ଦ୍ରର ଚେତାବନୀ
ବିଭିନ୍ନ ଭାରତୀୟ ଏୟାରଲାଇନ୍ସଗୁଡ଼ିକୁ ଗତ ୮ ଦିନ ଧରି ବୋମା ଧମକ ମିଳୁଥିବା ବେଳେ ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ଏବେ ବିଭିନ୍ନ ସ୍ତରରେ ପଦକ୍ଷେପ ଗ୍ରହଣ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଆସୁଥିବା ଧମକକୁ ରୋକିବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଛି।
କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସକୁ ଏ ବାବଦରେ କଡ଼ା ଚେତାବନୀ ଦେଇଛନ୍ତି। ଏକ୍ସ ମାଧ୍ୟମରେ ମିଛ ଧମକର ଲହର ଦେଖିବାକୁ ମିଳିଥିବା ବେଳେ ମେସେଜ ପଠାଉଥିବା ଆକାଉଣ୍ଟକୁ ବ୍ଲକ କରିବା ପାଇଁ କୃତ୍ରିମ ବୁଦ୍ଧିମତା (ଏଆଇ) ଆଧାରିତ ସମାଧାନ ବ୍ୟବହାର କରିବାକୁ ଏକ୍ସକୁ କୁହାଯାଇଛି।
ଏକ୍ସ କର୍ତ୍ତୃପକ୍ଷ ଅପରାଧୀମାନଙ୍କୁ ପ୍ରୋତ୍ସାହନ ଦେବା ବଦଳରେ ତତ୍କାଳ ସେମାନଙ୍କ ପୋଷ୍ଟ୍ ଉପରେ ନିୟନ୍ତ୍ରଣ ଆଣିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ବିମାନ ଚଳାଚଳ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ଉଦ୍ଦେଶ୍ୟରେ ଅପରାଧୀମାନେ ଡାର୍କୱେବ୍ ବ୍ୟବହାର କରୁଥିବା ବେଳେ ଆଉ କେତେକ ସୋସିଆଲ ମିଡିଆରେ ନକଲି ଆକାଉଣ୍ଟ ଖୋଲି ଧମକପୂର୍ଣ୍ଣ ପୋଷ୍ଟ୍ କରିବାରେ ଲାଗିଛନ୍ତି। ଏଥିରେ ଅଙ୍କୁଶ ଲଗାଇବା ପାଇଁ ସୋସିଆଲ ମିଡିଆ ସଂସ୍ଥା ନିଷ୍ଠାର ସହ କାମ କରିବାକୁ ସରକାର ତାଗିଦ କରିଛନ୍ତି।

