ନମୋ…ନମୋ ନାରାରେ ପୁଣି କମ୍ପିବ ଆମେରିକା
ଆମେରିକା ପରମ୍ପରା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାଜକୀୟ ସମ୍ମାନ ପ୍ରଦର୍ଶନ ପାଇଁ ସମସ୍ତ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଛି । ପ୍ରଥମଥର ପାଇଁ ଏପରି ହେବାକୁ ଯାଉଛି, ପ୍ରଧାନମନ୍ତ୍ରୀ ମୋଦି ହ୍ବାଇଟ ହାଉସରେ ପହଞ୍ଚିବା ପରେ ଦିଆଯିବ ସମ୍ମାନଜନକ ୨୧ ତୋପ ସଲାମୀ । ୨୧ ତାରିଖରେ ନ୍ୟୁୟର୍କରେ ପହଞ୍ଚିବା ପରେ ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ମୋଦି ମିଳିତ ଜାତିସଂଘ ଦ୍ବାରା ଆୟୋଜିତ ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମର ନେତୃତ୍ବ ନେବେ । କାର୍ଯ୍ୟକ୍ରମରେ ସାମିଲ ୧୮୦ଟି ଦେଶର ପ୍ରତିନିଧିଙ୍କୁ ଯୋଗ ସନ୍ଦେଶ ଦେବେ ପ୍ରଧାନମନ୍ତ୍ରୀ ମୋଦି । ୨୨ ତାରିଖରେ ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ପିଏମ ମୋଦି । ନିଜ କାର୍ଯ୍ୟକାଳ ମଧ୍ୟରେ ଦ୍ବିତୀୟ ଥର ପାଇଁ ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧନ କରିବାକୁ ସୁଯୋଗ ପାଇବେ ପ୍ରଧାନମନ୍ତ୍ରୀ ମୋଦି । ଏହାପରେ ରାତିରେ ହ୍ବାଇଟ ହାଉସରେ ରାଷ୍ଟ୍ରପତି ଜୋ ବାଇଡେନ ଓ ଫାଷ୍ଟ ଲେଡିଙ୍କ ସହ ରାଜକୀୟ ରାତ୍ରିଭୋଜନ କରିବେ ପ୍ରଧାନମନ୍ତ୍ରୀ ମୋଦି । ବାଇଡୋନଙ୍କ ସହ ଦ୍ବିପାକ୍ଷିକ ଆଲୋଚନାରେ ଇଣ୍ଡୋ-ପାସିଫିକ କ୍ଷେତ୍ରରେ ସୁରକ୍ଷା, ବାଣିଜ୍ୟିକ ଓ ସାମରିକ ବୁଝାମଣା ସ୍ଥାନ ପାଇବା ସମ୍ଭାବନା ରହିଥିବା ବୈଦେଶିକ ବ୍ୟାପାର ମୁଖପାତ୍ର କହିଛନ୍ତି । ୨୩ ଜୁନରେ ଉପ-ରାଷ୍ଟ୍ରପତି କମଲା ହାରିସଙ୍କ ସହ ମଧ୍ୟାହ୍ନ ଭୋଜନ ସହ ପ୍ରବାସୀ ଭାରତୀୟ ଏବଂ ବିଭିନ୍ନ ଉଦ୍ୟୋଗମୁଖ୍ୟଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଭାରତ-ଆମେରିକା ସମ୍ପର୍କ କେବଳ ସହଯୋଗିତା ନୁହେଁ, ବରଂ ବିଶ୍ବସ୍ତରୀୟ ସହଭାଗୀତାର ଉଦାହରଣ ହୋଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଜକୀୟ ଗସ୍ତ ପରେ ଭାରତ- ଆମେରିକା ସମ୍ପର୍କ ଆହୁରି ମଜଭୁତ ହେବା ସହ ପାରସ୍ପରିକ ସହଯୋଗ ବୃଦ୍ଧି ପାଇବା ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପୂର୍ବରୁ ଆମେରିକାରେ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି । ୱାସିଂଟନ ଡିସି ସମେତ ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ବ୍ୟାପକ ଆୟୋଜନ ହୋଇଥିବା ଦେଖିବାକୁ ମିଳିଛି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିମନ୍ତ୍ରଣରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ ପାଇଁ ଜୋରଦାର ପ୍ରସ୍ତୁତି ଜାରି ରହିଛି । ସେପଟେ ୨୪ ଜୁନରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକାରୁ ଇଜିପ୍ଟ ଅଭିମୂଖେ ଗସ୍ତ କାର୍ଯ୍ୟକ୍ରମ ରହିଛି ।
