ଦୁବାଇରେ ଆନ୍ତର୍ଜାତୀୟ ମୋଦୀ@20 ଚିତ୍ରକଳା ଏବଂ ମୂର୍ତ୍ତି ପ୍ରଦର୍ଶନୀର ଉଦଘାଟନ
ଦୁବାଇ, ୯ ନଭେମ୍ବର – ଓଡିଶା ସରକାରର ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ମୁଖ୍ୟ ସଚିବ ଶ୍ରୀ ବିଷ୍ଣୁପଦ ସେଠୀଙ୍କ ଦ୍ୱାରା ଆଜି ଦୁବାଇ ଆନ୍ତର୍ଜାତୀୟ କଳା କେନ୍ଦ୍ରରେ ମୋଦୀ@20 ଆନ୍ତର୍ଜାତୀୟ ଚିତ୍ରକଳା ଏବଂ ମୂର୍ତ୍ତି ପ୍ରଦର୍ଶନୀର ଉଦଘାଟନ କରାଯାଇଛି। ଏହି ଅବସରରେ ଶ୍ରୀ ସେଠୀ କହିଥିଲେ ଯେ, ଏହି ପ୍ରଦର୍ଶନୀ କଳାକାରମାନଙ୍କ ମଧ୍ୟରେ ସାଂସ୍କୃତିକ ବିନିମୟ ସହିତ ଏକ ଶିକ୍ଷାପ୍ରଦ ମଞ୍ଚ ପ୍ରଦାନ କରୁଛି, ଯାହା ଦୁଇ ଦେଶର ଶିଳ୍ପୀମାନଙ୍କ ମଧ୍ୟରେ ସୃଜନାତ୍ମକତା ଓ ସାଂସ୍କୃତିକ ସମ୍ବନ୍ଧ ବୃଦ୍ଧି କରୁଥାଏ।
ପ୍ରଦର୍ଶନୀରେ ଭାରତର ଓଡ଼ିଶା, ଆସାମ, ତ୍ରିପୁରା, ଗୁଜରାଟ, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ ଓ ଦିଲ୍ଲୀର ପ୍ରାୟ ୪୦ ଜଣ କଳାକାର ଏବଂ ଦୁବାଇର ୨୦ ଜଣ କଳାକାର ଅଂଶଗ୍ରହଣ କରିଛନ୍ତି। ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ ଅନେକ ଚିତ୍ରରେ ମୋଦୀଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଓ ଶାନ୍ତି ପାଇଁ ନେଇଥିବା ପଦକ୍ଷେପକୁ ନିଆଯାଇଥିଲା। ଖାସ ଆକର୍ଷଣର ମଧ୍ୟରେ ଥିଲା “ମୋଦୀ ଏବଂ କ୍ରାଉନ୍ ପ୍ରିନ୍ସ” ଦ୍ୱାରା ରାଜମାତା ଦୀପ୍ତି ଯାଦବ ଏବଂ “ମୋଦୀ ଏବଂ ଟି କେଟଲି” ଚିତ୍ର, ଯାହା ଅନୁପ ଚନ୍ଦଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିଲା।
ଉଦଘାଟନୀ କାର୍ଯ୍ୟକ୍ରମରେ ସୁଭଦ୍ରା ଆର୍ଟ ଗ୍ୟାଲେରୀର ଚେୟାରମ୍ୟାନ ଡ଼ ସୂର୍ଯ୍ୟ ରଥ, ଗ୍ୟାଲେରୀ ନିର୍ଦ୍ଦେଶକ ଅଶୋକ ନାୟକ, ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ଚେୟାରମ୍ୟାନ ଡ଼ ବିପିନ ବିହାରୀ ମିଶ୍ର, ଦୁବାଇ ଆନ୍ତର୍ଜାତୀୟ କଳା କେନ୍ଦ୍ରର ଚେୟାରପର୍ସନ ଡାୟାଲି ଭାଲିଆ ଏବଂ ଦୁବାଇ ଓଡ଼ିଆ ସମାଜର ସଭାପତି ଅମୀୟ ମିଶ୍ର ସମେତ ଅନେକ ଗଣମାନ୍ୟ ବ୍ୟକ୍ତିଗଣ ଅଂଶଗ୍ରହଣ କରିଥିଲେ। ସମ୍ମାନିତ କଳାକାର ଅଞ୍ଜଳୀ ପ୍ରକାଶ, କୁଳମଣୀ ବିଶ୍ୱାଳ, କାଜି ରାଘବ ଏବଂ ଶିକ୍ଷାବିତ୍ ମିହିର ସାହୁ ଏହି ସାଂସ୍କୃତିକ ବିନିମୟକୁ ସ୍ମରଣୀୟ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ।
