ରାଗିଂଗ ପାଇଁ ଚାଲିଗଲା ଡାକ୍ତରୀ ଛାତ୍ରଙ୍କ ଜୀବନ
ଗତ ଶନିବାର ଜିଏମ୍ଇଆରଏମ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ତୃତୀୟ ବର୍ଷର କିଛି ଛାତ୍ର ହଷ୍ଟେଲ ଭିତରେ ପ୍ରଥମବର୍ଷର ଛାତ୍ରଙ୍କୁ ଏକାଠି କରି ରାଗିଂଗ କରିଥିଲେ। ଏହି ସମୟରେ ଅନିଲ ମେଥାନିଆଙ୍କୁ ତୃତୀୟ ବର୍ଷର ଛାତ୍ରମାନେ ନୃତ୍ୟ କରିବା ପାଇଁ କହିଥିଲେ। ଏହାପରେ ଦୀର୍ଘ ୩ ଘଣ୍ଟା କାଳ ଛିଡା କରାଇ ଦେଇଥିଲେ। ଫଳରେ ଅନିଲ ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। କିଛିଛାତ୍ର ହଷ୍ଟେଲ ପରିଚାଳକଙ୍କୁ ସୂଚନା ଦେବା ପରେ ତୁରନ୍ତ ଅନିଲ ମେଥାନିଆଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।
ପୁଲିସରେ ମୃତକଙ୍କ ପରିବାରଲୋକ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ରାଗିଂଗ ଘଟଣାରେ ସମ୍ପୃକ୍ତ ଥିବା ୧୫ ଜଣ ଡାକ୍ତରୀ ଛାତ୍ରଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୧୦୫, ୧୨୭(୨), ୧୮୯(୨), ୧୯୦ ଓ ୨୯୬(ବି)ରେ ମାମଲା ରୁଜୁ କରି ତଦନ୍ତ କରାଯାଉଛି।ଏହି ମାମଲାର ତଦନ୍ତ ପାଇଁ ଆଣ୍ଟି-ରାଗିଂଗ କମିଟି ଗଠନ କରାଯାଇଛି ବୋଲି ସୂଚନା ଦେଇଛନ୍ତି କଲେଜର ଡିନ ହାର୍ଦ୍ଦିକ ଶାହା |
