ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ
ହେମନ୍ତ ସୋରେନ ଆଜି ଚତୁର୍ଥ ଥର ପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେ ହେଉଛନ୍ତି ଖଣିଜ ସଂପଦଭରା ରାଜ୍ୟର ଚତୁର୍ଦ୍ଦଶ ମୁଖ୍ୟମନ୍ତ୍ରୀ। ଆଜିର ଶପଥ ଗ୍ରହଣ ଉତ୍ସବ ରାଞ୍ଚିର ମୋରାଦାବାଦ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା। ଶପଥ ଗ୍ରହଣ ଉତ୍ସବରେ ଇଣ୍ଡି ମେଣ୍ଟର ଶୀର୍ଷ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ, ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ, ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ବୀ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ। ସୋରେନଙ୍କୁ ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାର ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

