‘ମୋ ସ୍କୁଲ ଅଭିଯାନ’ର ନାମ ପରିବର୍ତ୍ତନ କରାଯାଇ ରଖାଯାଇଛି ‘ପଞ୍ଚସଖା ଶିକ୍ଷା ସେତୁ’
ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ସହ ଭିତ୍ତିଭୂମି ବିକାଶ କରିବାକୁ ରାଜ୍ୟ ସରକାର ‘ପଞ୍ଚସଖା ଶିକ୍ଷା ସେତୁ’ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ପୁରାତନ ଛାତ୍ରଛାତ୍ରୀ, ଗୋଷ୍ଠୀ ସହଭାଗିତା ମାଧ୍ୟମରେ ବିଦ୍ୟାଳୟର ଉନ୍ନତି କରାଯିବ। ତେଣୁ ପୂର୍ବରୁ ଥିବା ‘ମୋ ସ୍କୁଲ ଅଭିଯାନ’ର ନାମ ପରିବର୍ତ୍ତନ କରାଯାଇ ଏବେ ‘ପଞ୍ଚସଖା ଶିକ୍ଷା ସେତୁ’ ରଖାଯାଇଛି। ଯେଉଁଥିରେ ପୁରାତନ ଛାତ୍ରଛାତ୍ରୀ, ପୁରାତନ ଛାତ୍ର ସଙ୍ଗଠନ, ନିର୍ଦ୍ଦିଷ୍ଟ ଗ୍ରୁପ୍ର ବ୍ୟକ୍ତିବିଶେଷ, ଅନୁଷ୍ଠାନ, ସାମାଜିକ ସଙ୍ଗଠନ, କମ୍ପାନି, ଫାଉଣ୍ଡେସନ ପ୍ରମୁଖ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ଦିଗରେ ହାତ ବଢ଼ାଇବେ। ଅର୍ଥ, ସାମଗ୍ରୀ କିମ୍ବା ବିଦ୍ୟାଳୟର ବିକାଶ ନେଇ ଯେକୌଣସି ସେବା ଯୋଗାଇପାରିବେ। ପୂର୍ବ ସୋସାଇଟ୍ ନାଁରେ ଯେଉଁ ସବୁ ସାମଗ୍ରୀ ରହିଛି ତାହା ପଞ୍ଚସଖା ଶିକ୍ଷା ସେତୁ ସଙ୍ଗଠନକୁ ହସ୍ତାନ୍ତର ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

