ଚାଷୀ ମୁଣ୍ଡରେ ଚଡକ । ହୁତୁ ହୁତୁ ହୋଇ ଜଳିଗଲା ଧାନଗଦା
ଧାନ ଗଦାରେ ନିଆଁ ଲଗାଇଦେଲେ ଦୁର୍ବୁତ୍ତ । ଲକ୍ଷାଧିକ ଟଙ୍କାର ଧାନ ପୋଡି ହୋଇଗଲା ପାଉଁଶ । ନୟାଗଡ ଜିଲ୍ଲା ବାଘେରା ଗାଁର ବନମାଳୀ ପରିଡାଙ୍କ ୪ ଏକର ଜମିରୁ ଧାନ ଆଣି ତାଙ୍କ ବିଲରେ ଗଦା ମାରି ରଖିଥିଲେ । ହେଲେ ଗତକାଲି ରାତିରେ କେହି ଦୁର୍ବୁତ୍ତ ଆସି ତାଙ୍କ ଧାନ ଗଦାରେ ନିଆଁ ଲଗାଇ ଦେଇଥିଲେ । ନିଆଁ ଲାଗିବା ଦେଖି ଗ୍ରାମବାସୀମାନେ ଘଟଣାସ୍ଥଳକୁ ଦୌଡି ଆସି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ।ଏହାପରେ ଅଗ୍ନିଶମକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅନ୍ୟପଟେ ଏହି ଅଦିନିଆ ବର୍ଷା ଦାଉସାଜୁଥିବାରୁ ଏହି ଚାଷୀଜଣକ ତରବରିଆ ଭାବେ ଧାନ କାଟି ଆଣି ସୁରକ୍ଷିତ ଭାବେ ଖଳାରେ ରଖିଥିଲେ । ହେଲେ ରାଗ ହିଂସାରେ କେହି ଦୁର୍ବୁତ୍ତ ଏଭଳି ନିଆଁ ଲଗାଇଦେଇଥିବା ବେଳେ, ଏବେ ବର୍ଷ ସାରା କେମିତି ପେଟ ପୋଷିବେ ଚିନ୍ତାରେ ଏହି ଚାଷୀ ପରିବାର।
ଏଭଳି ଏକ ଘଟଣାକୁ ସବୁଆଡେ ନିନ୍ଦା କରାଯାଇଥିବାବେଳେ, ଘଟଣା ଘଟାଇଥିବା ଦୁର୍ବୁତ୍ତଙ୍କୁ ଧରି ଉଚିତ୍ ଶାସ୍ତି ଦେବା ପାଇଁ ଗ୍ରାମବାସୀ ଦାବି କରିବା ସହ ଉକ୍ତ ପୀଡିତ ଚାଷୀ ପରିବାକୁ ସରକାରଙ୍କ ତରଫରୁ ସହାୟତା ଯୋଗାଇ ଦେବା ପାଇଁ ନିବେଦନ କରିଛନ୍ତି ।

