ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ, ରାଜ୍ୟରେ ବଢିବ ବର୍ଷା ପରିମାଣ, ୬ ଜିଲ୍ଲାରେ ଆଲର୍ଟ
ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ । ରାଜ୍ୟରେ ଆଜିଠାରୁ ରାଜ୍ୟରେ ବଢିବ ବର୍ଷା ପରିମାଣ । ପଶ୍ଚିମ ଓଡିଶାର ୬ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ତେବେ ଏବର୍ଷ ମୌସୁମୀ ସ୍ୱାଭାବିକ ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ । ସୂଚନା ଥାଉକି, ଭାରତରେ ମୌସୁମୀ ସମଗ୍ର ଦେଶକୁ ଛୁଇଁଥିଲେ ମଧ୍ୟ ବହୁ ଭାଗରେ ନିଅଣ୍ଟିଆ ବର୍ଷା ପରିଲକ୍ଷିତ ହୋଇଛି । କିଛି ସ୍ଥାନରେ ୫୦ ପ୍ରତିଶତରୁ କମ ବର୍ଷା ମଧ୍ୟ ହୋଇଛି । ଓଡ଼ିଶାରେ ବୁଧବାର ସୁଦ୍ଧା ରିପୋର୍ଟ ଅନୁସାରେ ୩୧ ପ୍ରତିଶତ କମ ବର୍ଷା ହୋଇଛି । ତେଣୁ ଏଭଳି ସ୍ଥିତିରେ ଚାଷ କାର୍ଯ୍ୟ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହେଲାଣି । ପ୍ରଶାନ୍ତ ମହାସାଗରରେ ଏଲନିନୋ ସୃଷ୍ଟି ହେବା ସହିତ ସମୁଦ୍ରର ଉପରିଭାଗର ତାପମାତ୍ରା ରେକର୍ଡ ସ୍ତରକୁ ବୃଦ୍ଧି ପାଇଛି । ଫଳରେ ସମୁଦ୍ରରେ ଗରମ ହାୱା ପ୍ରବାହିତ ହେଲାଣି । ଏହା ଯୋଗୁଁ ପାଣିପାଗରେ ତାରତମ୍ୟ ଦେଖାଦେଇଥାଏ । ସେପଟେ ଆଗାମୀ ଦିନରେ ବିଶ୍ବର ବିଭିନ୍ନ ଭାଗରେ ଭୀଷଣ ପାଣିପାଗ ପ୍ରଭାବ ମାନ ଦେଖାଯିବ। ଜାତିସଂଘର ପାଣିପାଗ ସଂଗଠନ ଏନେଇ ସତର୍କବାଣୀ ଦେଇଥିବା ବେଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ସମାନ କଥା କହିଛି। ପ୍ରଶାନ୍ତ ମହାସାଗରରେ ଏଲନିନୋ ସୃଷ୍ଟି ହୋଇସାରିଛି। ପାଣି ପାଗ ବିଶେଷଜ୍ଞମାନେ ଏହା ସ୍ପଷ୍ଟ କରିଥିବା ବେଳେ ଏହାର ପ୍ରଭାବ ପରିଲକ୍ଷିତ ହେଲାଣି ବୋଲି କହିଛନ୍ତି । ଏହା ଯୋଗୁଁ ବିଶ୍ବର ବିଭିନ୍ନ ଭାଗରେ ଭୀଷଣ ହିଟୱେଭ, ମରୁଡ଼ି, ବନ୍ୟା ସାମୁଦ୍ରିକ ଝଡ଼ ଓ ଅବିସ୍ରାନ୍ତ ବର୍ଷା ସହିତ ବରଫ ତରଳିବା ଭଳି ଗୁରୁତର ପ୍ରଭାବ ଦେଖାଦେଇପାରେ। ତେଣୁ ଏଥିପାଇଁ ସରକାରମାନେ ପ୍ରସ୍ତୁତ ରହିବାକୁ ଜାତିସଂଘର ପାଣିପାଗ ସଂଗଠନ ସତର୍କ କରାଇଛି। ସରକାରମାନେ ଏନେଇ ଯୋଜନା ପ୍ରସ୍ତୁତ କରିବା ଲାଗି ପରାମର୍ଶ ଦେଇଛି, ଯେମିତିକି ଏଲନିନୋର ପ୍ରଭାବ ସ୍ବାସ୍ଥ୍ୟ, କୃଷି ଏବଂ ଅର୍ଥ ବ୍ୟବସ୍ଥା ଉପରେ କମ ପଡ଼ିବ। ସେନେଇ ଆଗୁଆ ପ୍ରସ୍ତୁତ ହୋଇ ରହିବା ଲାଗି ପରାମର୍ଶ ଦେଇଛି। ଭାରତ ସହିତ ଅନ୍ୟ ଏସୀୟ ଦେଶଗୁଡ଼ିକ ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିବା ଆଶଙ୍କା ରହିଛି।
