ଖୁବ୍ ଶୀଘ୍ର ଆରମ୍ଭ ହେବ କୈଳାସ ମାନସରୋବର ଯାତ୍ରା
ଗୋଟେ ପଟେ ଏବେ ଉତ୍ତରପ୍ରଦେଶ ପ୍ରୟାଗରାଜ ମହାକୁମ୍ଭରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ ।ଅପରପଟେ ଆଉ ଏକ ଖୁସି ଖବର ଆସି ପହଁଚିଛି । ଆଉ ସବୁଠାରୁ ବଡ କଥା ଭାରତକୁ ଏହି ବଡ଼ ଖୁସି ଖବର ଆଣି ଦେଇଛି ଚୀନ୍ । ଖବରଟି ହେଲାକି ପୁଣି ଥରେ ଆରମ୍ଭ ହେବାକୁ ଯାଉଛି କୈଳାସ ମାନସରୋବର ଯାତ୍ରା । ଗତକାଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ହସ୍ତଗତ ହୋଇଛି ।ଖବର ମୁତାବକ, ଭାରତ ଏବଂ ଚୀନ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସୁଧାରିବା ପାଇଁ ପ୍ରୟାସ ଚାଲିଥିବା ବେଳେ ଦୁଇ ରାଷ୍ଟ୍ର ମଧ୍ୟରେ ୨୦୨୦ ମସିହାରୁ ବନ୍ଦ ରହିଥିବା ସିଧାସଳଖ ବିମାନ ଚଳାଚଳ ଏବେ ପୁଣି ଥରେ ଆରମ୍ଭ ହେବ । ଭାରତ ଚୀନ୍ ମଧ୍ୟରେ ଏବେ ସିଧାସଳଖ ଉଡ଼ିବ ବିମାନ ।ତେବେ କରୋନା ମହାମାରୀ ପରଠାରୁ ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ଚଳାଚଳକୁ ସ୍ଥଗିତ ରଖାଯାଇଥିଲା । ପ୍ରାୟ ୫ ବର୍ଷ ପରେ ପୁଣି ଥରେ ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ ହେବାକୁ ଯାଉଛି । ୨୦୨୦ ମସିହାରୁ ବନ୍ଦ ରହିଥିବା କୈଳାସ ମାନସରୋବର ଯାତ୍ରା । ଯାହାକୁ ପୁନଶ୍ଚ ଆରମ୍ଭ କରିବା ପାଇଁ ଭାରତ ଓ ଚୀନ୍ ଏବେ ନିଷ୍ପତ୍ତି ନେଇଛନ୍ତି ।

