ରାଜ୍ୟ

ଜଙ୍ଗଲରେ ବଢ଼ୁଛି ଶିକାରୀଙ୍କ ଦୌରାତ୍ମ୍ୟ

Spread the love

ଅମଳ ସମୟରେ ଜନ୍ତୁଙ୍କ ମୁହଁରୁ ଫସଲ ରକ୍ଷା କରିବା ପାଇଁ ଚାଷୀମାନେ ଫାଶ ବସାଇ ବିଜୁଳି ସଂଯୋଗ କରି ଦେଉଛନ୍ତି। କେବଳ ସେତିକି ନୁହେଁ, ଶିକାରୀମାନେ ପଶୁ ଶିକାର ପାଇଁ ମଧ୍ୟ ଜଙ୍ଗଲ ମଧ୍ୟରେ ସମାନ ପଦ୍ଧତି ଅବଲମ୍ବନ କରୁଛନ୍ତି। ଫଳରେ ଏବେ ରାତି ହେଉ ଅବା ଦିନ, ଜଙ୍ଗଲ ମଧ୍ୟରେ ପାଟ୍ରୋଲିଂ କରିବାକୁ ସ୍ବାଭାବିକ ଭାବେ ବନ କର୍ମଚାରୀମାନେ ଭୟ କରୁଛନ୍ତି। ଏଣୁ ଜଙ୍ଗଲ ମଧ୍ୟରେ ଗଜରାଜ ବଞ୍ଚିବାକୁ ଏକ ପ୍ରକାର ସଂଘର୍ଷ କରୁଛି।ଘଞ୍ଚ ଜଙ୍ଗଲ ମଧ୍ୟରେ ଗଛରୁ ଗଛ ସାଧାରଣ ଆଖିକୁ ନ ଦେଖାଯିବା ପରି ତାର ଗୁଡ଼ାଇ ସେଥିରେ ବିଜୁଳି ସଂଯୋଗ କରି ଦିଆଯାଉଛି।ଅସଲରେ ଶିକାରୀମାନେ ଛୋଟ ଛୋଟ ଜନ୍ତୁଙ୍କୁ ଟାର୍ଗେଟ୍ କରି ଏମିତି କାରନାମା କରୁଛନ୍ତି। ମାତ୍ର ଏହି ତାର ସଂସ୍ପର୍ଶରେ ଆସି ବଡ଼ବଡ଼ ପଶୁ ଓ ମଣିଷଙ୍କ ଜୀବନ ଯାଉଛି। ଯାହାକି ଏବେ ଉଭୟ ବିଦ୍ୟୁତ୍‌ ଓ ବନବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି।ଦଶପଲ୍ଲା ବ୍ଲକ୍‌ର ଟାକରା ଓ ବାଣିଗୋଛା ପଞ୍ଚାୟତ, ଗଣିଆ ବ୍ଲକ୍‌ର ଛାମୁଣ୍ଡିଆ, ବଡ଼ସିଲଙ୍ଗା ଏବଂ ଖଣ୍ଡପଡ଼ା ବ୍ଲକ୍‌ର କୋସକା ଓ ଗଡ଼ିଆସାହି ପଞ୍ଚାୟତରେ ଏହି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଯେତେ ପ୍ରକାର ସଚେତନତା ଅବା ଆଇନର ଭୟ ଦେଖାଇଲେ ମଧ୍ୟ ଶିକାରୀଙ୍କ ଉପରେ ପ୍ରଭାବ ପଡ଼ୁନାହିଁ। ଘଞ୍ଚ ଜଙ୍ଗଲରେ ଜନ୍ତୁ ଶିକାର କରିବା ପାଇଁ ସେମାନେ ଏକ ପ୍ରକାର ମନ ସ୍ଥିର କରି ନେଇଛନ୍ତି। ଛାମୁଣ୍ଡିଆ ଅଞ୍ଚଳରେ ବନ ବିଭାଗରେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ଜଙ୍ଗଲ ମଧ୍ୟରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜୀବନ ହରାଇଥିଲେ।ସେହିପରି ରଣପୁର ବ୍ଲକ୍‌ ପଟିଆ ଗ୍ରାମପଞ୍ଚାୟତ ରଣ୍ଡା ଗ୍ରାମ ନିକଟରେ ବିଦ୍ୟୁତ୍‌ ଆଘାତରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିଲା। ଜଙ୍ଗଲରେ ଗଜରାଜଙ୍କୁ ସୁରକ୍ଷା ପାଇଁ ବନ ବିଭାଗ ଆହୁରି ତତ୍ପର ହେବା ଆବଶ୍ୟକ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *