ଆଦିବାସୀଙ୍କ ପାରମ୍ପରିକ ଶୁଳିଆ ଯାତ୍ରା ଆରମ୍ଭ
ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଳକରେ ଆଦିବାସୀଙ୍କ ପାରମ୍ପରିକ ଶୁଳିଆ ଯାତ୍ରା ଆରମ୍ଭ ହୋଇଛି। ପଶୁପକ୍ଷୀଙ୍କ ରକ୍ତରେ ଲାଲ ହୋଇଛି ଶୁଳିଆ ପୀଠ। ଶୁଳିଆଦେବତାଙ୍କ ପାଖରେ ପୋଢ଼, ବୋଦା, କୁକୁଡ଼ା ବଳି ଚଢାଇ ଦର୍ଶନ କଲେ ହଜାର ହଜାର ଭକ୍ତଙ୍କ ସହ ମାନସିକଧାରୀ । ଶୁଳିଆ ପୀଠରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ସେଠାରେ ୨ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି।
ଆଦିବାସୀଙ୍କ ପରମ୍ପରା ଅନୁସାରେ ଏହି ଯାତ୍ରାରେ ଫୁଲ, ଦୁବ, ନଡିଆ ଭୋଗ ସହ ପୋଢ଼, ମେଣ୍ଢା, ବୋଦା, ପାରା ଓ କୁକୁଡ଼ା ବଳି ଦେଇ ମାନସିକଧାରୀ ପୂଜାର୍ଚ୍ଚନା କରିଥାନ୍ତି। ଚଳିତ ବର୍ଷ ତିନି ଦିନ ଉତ୍ସବ ହୋଇଥିବା ବେଳେ ଗୋଟିଏ ଦିନ ଯାତ୍ରା ଅନୁଷ୍ଠିତ ହେଉଛି। ପ୍ରକାଶ ଥାଉକି ପୌଷ ଅମାବାସ୍ୟା ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ଏହି ଶୁଳିଆ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏଥିପାଇଁ କନ୍ଧ ଅଦିବାସୀମାନେ ଲିପା ପୋଛା ସହ ସମସ୍ତଙ୍କର ନୂଆ ପୋଷାକ କରିଥାନ୍ତି। ଯାତ୍ରାର ପୂର୍ବଦିନ ଅର୍ଥାତ ସୋମବାର ଦିନ ୧୨ଟାରେ ଦେବ ନିମନ୍ତ୍ରଣ ହୋଇଥାଏ। ସନ୍ଧ୍ୟାରେ ନିଷିପୂଜାରେ ଗମ୍ଭିରାଘରେ ଥିବା ଟାଙ୍ଗିଆ, ଖଣ୍ଡା ଆଦି ପୂଜା କରି ଭୋରରୁ ‘ଦେହୁରୀ’ ପୀଠରେ ପହଞ୍ଚିଲା ପରେ ଯାତ୍ରା ଅନୁଷ୍ଠିତ ହୋଇଥାଏ। ପ୍ରଥମେ ଏକ କାଉଁଶ ନଳରେ ଚାଉଳ, ଗୁଡ଼, ଘିଅ ଆଦି ଦେଇ ଭୋଗ ରନ୍ଧା ଯାଏ । ଠିକ୍ ଭାବେ ଭୋଗ ପ୍ରସ୍ତୁତ ହେଲେ ଏ ବର୍ଷ ଭଲ ବର୍ଷା ହେବ ବୋଲି ଆଦିବାସୀଙ୍କ ବିଶ୍ବାସ ରହିଛି।

