ପ୍ରବାସୀ ଭାରତୀୟ ଦିବସ ପାଇଁ ଭୁବନେଶ୍ୱରରେ ଟ୍ରାଫିକ କଟକଣା

ଭୁବନେଶ୍ୱର ଜନତା ମୈଦାନରେ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ ପାଇଁ ଜୋରଦାର ପ୍ରସ୍ତୁତି । ପ୍ରଥମଥର ପାଇଁ ଓଡ଼ିଶାରେ ହେବାକୁଥିବା ପ୍ରବାସୀ ଭାରତୀୟ ଦିବସ ସମ୍ମେଳନକୁ ବିଶାଳ ଓ ଭବ୍ୟ କରିବାକୁ ଜୋରଦାର ଆୟୋଜନ କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଓଡ଼ିଆ ସଂସ୍କୃତିି ଅନୁଯାୟୀ ପ୍ରବାସୀଙ୍କୁ ସ୍ବାଗତ କରାଯିବ । ପର୍ଯ୍ୟଟନ, ବାଣିଜ୍ୟ, ଶିଳ୍ପ ପାଇଁ ବିଭିନ୍ନ ସେସନ୍ ରହିବ ।ରାଜଧାନୀରେ ୩ ଦିନ ଧରି ସମ୍ମିଳନୀ ହେବାକୁ ଯାଉଥିବା ବେଳେ ଏଥିପାଇଁ ଜାରି ହୋଇଛି ଟ୍ରାଫିକ ଆଡଭାଇଜରି । ଏନେଇ ଟ୍ରାଫିକ ପରିଚାଳନାରେ ପୋଲିସକୁ ସହଯୋଗ କରିବେ ପ୍ରବାସୀ ମିତ୍ର । କମିସନରେଟ ପୋଲିସ ପକ୍ଷରୁ ବିଭିନ୍ନ ବସ୍ତିରେ ପୋଲିସ ସହ କାମ କରୁଥିବା ବସ୍ତି ମିତ୍ର ମାନଙ୍କୁ ନେଇ ପ୍ରବାସୀ ମିତ୍ର ଗଠନ କରି ଏନେଇ ସହଯୋଗ କରିବା ପାଇଁ ତାଲିମ ଦିଆଯାଉଛି । ଏନେଇ ସେମାନେ ବିଭିନ୍ନ ଟ୍ରାଫିକ ଓ ଛକରେ ରହିବେ ।ଆସନ୍ତା ୦୮ ରୁ ୧୦ ପର୍ଯ୍ୟନ୍ତ ଏୟାରପୋର୍ଟରୁ ହସ୍ପିଟାଲ୍ ଛକ, ଏ.ଜି. ଛକ-ରାଜଭବନ ଛକ, ପାୱାର ହାଉସ ଛକ- ୧୨୦ ବି.ଏନ୍. ଛକ, ଶାସ୍ତ୍ରୀ ନଗର ଛକ–ବେହେରା ସାହି ଛକ–ଜୟଦେବ ବିହାର ଛକ–ଜାଭିୟର ଛକ, ନାଲକୋ ଛକ ପର୍ଯ୍ୟନ୍ତ କଟକଣା ଜାରି ରହିଛି ।

