ବୈତରଣୀରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ
ପାଟଣା ବୈତରଣୀ ନଦୀରେ ମକର ବୁଡ଼ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରିବା ସହ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି। ତିନିଦିନିଆ କେନ୍ଦୁଝର ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମଙ୍ଗଳବାର ସକାଳେ ରାଇସୁଆଁ ଏୟାରଷ୍ଟ୍ରିପ୍ରେ ପହଞ୍ଚିବା ପରେ ସେଠାରୁ ପାଟଣା ଅଭିମୁଖେ ଯାଇଥିଲେ। ବୈତରଣୀ ଅନସୂୟା ତୀର୍ଥଘାଟରେ ବୁଡ଼ ପକାଇବା ପରେ ପରମେଶ୍ୱର ମହାଦେବଙ୍କ ଦର୍ଶନ କରି ଆନନ୍ଦେଶ୍ୱର ମହାଦେବଙ୍କଠାରେ ଜଳଲାଗି କରିଥିଲେ। ଏହି ଅବସରରେ ଉପସ୍ଥିତ ଜନସାଧାରଣ ଓ ଶ୍ରଦ୍ଧାଳୁଙ୍କୁ ମକର ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ। ନିଜ ବିବୃତିରେ ଶ୍ରୀ ମାଝୀ ମକର ସଂକ୍ରାନ୍ତି ଭଳି ପବିତ୍ର ଦିନରେ ପୁଣ୍ୟତୋୟା ବୈତରଣୀରେ ବୁଡ଼ ପକାଇ ମହାଦେବଙ୍କ ନିକଟରେ ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧି ଓ ରାଜ୍ୟର ଉନ୍ନତି ପାଇଁ ପ୍ରାର୍ଥନା କରିଥିବା ପ୍ରକାଶ କରିଛନ୍ତି।

