ରାଜ୍ୟ

ଯାଜପୁରରୋଡ୍‌ରେ ଖୋଲିବ ଶ୍ରୀଶଙ୍କର-ବାଗ୍‌ଚୀ କ୍ୟାନ୍‌ସର ଗବେଷଣା କେନ୍ଦ୍ର

Spread the love

କର୍କଟ ପୀଡ଼ିତା ପତ୍ନୀଙ୍କୁ ଭୁବନେଶ୍ବର ଶ୍ରୀଶଙ୍କର-ବାଗ୍‌ଚୀ କ୍ୟାନ୍‌ସର ସେଣ୍ଟରରେ ଚିକିତ୍ସା କରାଇଥିଲେ। ସେଠାରେ ୪ମାସର ଚିକିତ୍ସା ପରେ ପତ୍ନୀ ସୁସ୍ଥ ଅଛନ୍ତି। ତେବେ କମ ମୂଲ୍ୟରେ କର୍କଟ ଭଳି ରୋଗର ଉତ୍ତମ ଚିକିତ୍ସା ମିଳୁଥିବା ଦେଖି ତଥା ଏହାର ଭିତ୍ତିଭୂମିରେ ପ୍ରଭାବିତ ହୋଇ ଯାଜପୁରରୋଡ୍‌ର ଦଳା ଗାଁରେ ରହୁଥିବା ବ୍ୟବସାୟୀ ରବୀନ୍ଦ୍ର କୁମାର ନନ୍ଦ (୭୦) ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇବା ସହିତ ଯାଜପୁର ଜିଲ୍ଲାରେ ଏହି ଡାକ୍ତରଖାନାର ଏକ ଶାଖା ଖୋଲିବାକୁ ନିବେଦନ କରିଥିଲେ। ଏଥିପାଇଁ ଗତ କିଛିଦିନ ତଳେ ଶ୍ରୀ ନନ୍ଦ ପ୍ରାୟ ୨କୋଟିରୁ ଅଧିକ ଟଙ୍କା ମୂଲ୍ୟର ଜମି (୧.୬୧ ଏକର) ଦାନ କରି ଦେଇଛନ୍ତି। ଏବେ କୋରେଇ ବ୍ଲକ୍ ଛୋଟରାୟପୁର ମୌଜା ଦଳା-ଛୋଟରାୟପୁର ରାସ୍ତା ପାର୍ଶ୍ବରେ ଥିବା ଗୀତା ମଣ୍ତପରେ ଶ୍ରୀଶଙ୍କର-ବାଗ୍‌ଚୀ କ୍ୟାନ୍‌ସର ରିସର୍ଚ୍ଚ ସେଣ୍ଟରର ଶାଖା ଖୋଲିବାକୁ ଯାଉଛି। ରବୀନ୍ଦ୍ରଙ୍କ ଅନୁରୋଧରେ ଡାକ୍ତରଖାନାର ନାମ ‘ଗୀତା-ରବିନ୍ଦ୍ର କ୍ୟାନ୍‌ସର ସେଣ୍ଟର’ ରଖାଯାଇଛି। ଗତ ଡିସେମ୍ବର ମାସରୁ ଡାକ୍ତରଖାନା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଡାକ୍ତରଖାନା କାର୍ଯ୍ୟକ୍ଷମ ହେଲେ ଯାଜପୁର ସମେତ ନିକଟସ୍ଥ କେନ୍ଦୁଝର ଓ ଭଦ୍ରକ ଜିଲ୍ଲାର ରୋଗୀମାନେ ଉପକୃତ ହୋଇପାରିବେ ବୋଲି ରବୀନ୍ଦ୍ର କହିଛନ୍ତି। ଆସନ୍ତା ଏପ୍ରିଲ ମାସରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିବେ।

Leave a Reply

Your email address will not be published. Required fields are marked *