ଶପଥ ପରେ ଟ୍ରମ୍ପଙ୍କ ବଡ଼ ଘୋଷଣା
ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବା ମାତ୍ରେ ଡୋନାଲ୍ଡ ଟ୍ରମ୍ପ ଆଜି କେତେକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ଟ୍ରମ୍ପ କ୍ୟାପିଟଲ୍ ହଲ୍ରେ ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ଘୋଷଣା କରୁଥିଲେ ଏବଂ ପୂରା ହଲ୍ ତାଳିରେ ଗୁଞ୍ଜରିତ ହେଉଥିଲା। ବିରୋଧୀ ଡେମୋକ୍ରାଟ୍ ନେତାମାନେ ମଧ୍ୟ ତାଙ୍କର ଅନେକ ନିଷ୍ପତ୍ତିକୁ ସମର୍ଥନ କରି ତାଳି ବଜାଉଥିବା ଦେଖିବାକୁ ମିଳିଥିଲା। ଯେତେବେଳେ ଡୋନାଲ୍ଡ ଟ୍ରମ୍ପ ଦେଶର ଦକ୍ଷିଣ ସୀମାରେ ଜରୁରିକାଳୀନ ପରିସ୍ଥିତି ଲାଗୁ କରିବାକୁ ଘୋଷଣା କରିଥିଲେ, ସେତେବେଳେ ଏହାକୁ ବିପୁଳ ସମର୍ଥନ ମିଳିଥିଲା। ଏହା ଟ୍ରମ୍ପଙ୍କ ସବୁଠାରୁ ବଡ଼ ନିଷ୍ପତ୍ତି ବୋଲି କୁହାଯାଉଛି। ଟ୍ରମ୍ପ କହିଛନ୍ତି ଯେ ଆମେରିକାର ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଯାଇଛି । ଆମେରିକା ପୁଣି ଥରେ ମହାନ ହେବ। ଟ୍ରମ୍ପ କହିଛନ୍ତି ଯେ ମେକ୍ସିକୋ ଉପସାଗର ଏବେ ଆମେରିକା ଉପସାଗର ନାମରେ ପରିଚିତ ହେବ। ଏହାବ୍ୟତୀତ ମେକ୍ସିକୋ ସୀମାରେ ଅନୁପ୍ରବେଶ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯିବ। ମୁଦ୍ରାସ୍ଫୀତି ହ୍ରାସ ପାଇଁ ସମସ୍ତ ପ୍ରୟାସ କରାଯିବ ବୋଲି ସେ କହିଛନ୍ତି।ସେ ଏକ ବଡ଼ ଘୋଷଣା କରିଛନ୍ତି ଯେ ଏବେ ଆମେରିକାରେ କେବଳ ଦୁଇଟି ଲିଙ୍ଗ ରହିବ ପୁରୁଷ ଓ ମହିଳା। ଦେଶରେ ତୃତୀୟ ଲିଙ୍ଗ ବ୍ୟବସ୍ଥା ରହିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ସାରା ବିଶ୍ବରେ ଏବେ ଏଲ୍ଜିବିଟି ସମୁଦାୟ ମୁଖର ଥିବା ବେଳେ ଟ୍ରମ୍ପଙ୍କ ଏହି ଘୋଷଣା ଅନେକଙ୍କୁ ବିସ୍ମିତ କରିଛି।

