କଟକ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଆସନ୍ତା 26ରେ କଟକ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଟକ ଗସ୍ତ ନେଇ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଆରଡିସିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପୋଲିସ କମିଶନର, କଟକ ଡିସିପି, କଟକ ଜିଲ୍ଲାପାଳ, ସିଏମସି କମିଶନର, ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲ କର୍ତ୍ତୃପକ୍ଷ, ଟାଟା ପାୱାର ଅଧିକାରୀ, ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ରାଷ୍ଟ୍ରପତିଙ୍କ ଗସ୍ତ ସୁରୁଖୁରୁରେ କିପରି ସମାପନ ହେବ ସେ ନେଇ ଅଧିକ ଜୋର୍ ଦିଆଯାଇଛି। ରାଷ୍ଟ୍ରପତିଙ୍କ ଯିବା ଆସିବା ରାସ୍ତାର ମରାମତି, ବିଜୁଳି ଓ ପାଣି ବ୍ୟବସ୍ଥା, ଟ୍ରାଫିକ ପରିଚାଳନା, ପରିମଳ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା ସହ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଯଦି ବର୍ଷା ହୁଏ ତେବେ ସହରରେ ଜଳବନ୍ଦୀ ସମସ୍ୟା କିପରି ତୁରନ୍ତ ଦୁର କରାଯିବ ସେଥିପାଇଁ ମହାନଗର ନିଗମ ଗୁରୁତ୍ୱ ଦେବ ବୋଲି କହିଛନ୍ତି ସି ଏମ ସି କମିଶନର। ତେବେ ଆସନ୍ତା ୨୬ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଟକ ଚଣ୍ଡୀ ମନ୍ଦିର, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସଂଗ୍ରହାଳୟ, ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ, ଓଡ଼ିଶା ହାଇକୋର୍ଟ, ଏସସିବି ମେଡ଼ିକାଲ ଓ ଜାତୀୟ ଆଇନ ବିଶ୍ଵବିଦ୍ୟାଳୟରେ କାର୍ଯ୍ୟକ୍ରମ ରହିଛି।
